ଭୁବନେଶ୍ୱର : ପୁଣି ଆସୁଛି ବଡ ବର୍ଷା। ଆସନ୍ତା ଅକ୍ଟୋବର ୩୧ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ନୂଆ ଅବପାତ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା ରହିଛି।
ବାତ୍ୟା 'ଅର୍ଣ୍ଣବ' ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଦେଇ ସ୍ଥଳଭାଗ ଛୁଇଁ ଦୁର୍ବଳ ହେବା ପରେ ଏବେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଆଉ ଏକ ଲଘୁଚାପ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ ଏବଂ ଅକ୍ଟୋବର ୩୧ ସୁଦ୍ଧା ଏହା ଅବପାତର ରୂପ ନେବ। ଏହି ସିଷ୍ଟମ୍ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବା ସହ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ନଭେମ୍ବର ୧ ଏବଂ ୨ ତାରିଖରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ।
ତେବେ ପାଣିପାଗ ବିଶେଷଜ୍ଞମାନେ ଏହି ସିଷ୍ଟମ୍ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି, କାରଣ ସମୁଦ୍ର ମଧ୍ୟରେ ବର୍ତ୍ତମାନ ଅନୁକୂଳ ପାଗ ଯୋଗୁଁ ଏହା ଆଗକୁ ବାତ୍ୟାର ରୂପ ମଧ୍ୟ ନେଇପାରେ। ସେଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ନଯିବା ପାଇଁ ସତର୍କ ସୂଚନା ଜାରି ହୋଇଛି।