ନୂଆଦିଲ୍ଲୀ: ବାତ୍ୟା ଅର୍ଣ୍ଣବର ସ୍ଥିତି ଏବଂ ତାର ପ୍ରଭାବ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ କଥା ହୋଇଛନ୍ତି । ଏହା ସହିତ କେନ୍ଦ୍ର ମନ୍ତ୍ରୀ ଆନ୍ଧ୍ର ପ୍ରଦେଶ, ପଣ୍ଡିଚେରୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ସରକାର ଜନତାଙ୍କ ସହିତ ଛିଡ଼ା ହୋଇଛନ୍ତି ବୋଲି ଶାହ କହିଛନ୍ତି ।
ଅମିତ ଶାହ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା ହୋଇଛି । ଏସଡିଆରଏଫ୍ ଏବଂ ଏନଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେବେ । ଖୁବ ଶୀଘ୍ର କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ପଠାଯିବ ।
ଉଲ୍ଲେଖ ଯୋଗ୍ୟ, ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାତ୍ୟା ପୂର୍ବରୁ ଓ ବାତ୍ୟା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସହ ଅନେକ ଥର ଫୋନରେ କଥା ହୋଇ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ ।