ବ୍ରହ୍ମପୁର: ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଗଞ୍ଜାମ ଜିଲ୍ଲାରେ ବନ୍ୟା ସ୍ଥିତିକୁ ଗମ୍ଭୀର କରିଛି। ନଦୀରେ ଜଳସ୍ତର ବଢ଼ିବା ସହ ଅନେକ ଗାଁ ଜଳମଗ୍ନ ହୋଇପଡ଼ିଛି। ବିଶେଷକରି ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଗାଁରେ ଲୋକେ ବନ୍ୟାଜଳ ଘେରରେ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ହେଲିକପ୍ଟର ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।
ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା ଅନୁସାରେ, ସାନଖେମୁଣ୍ଡି ବ୍ଲକର ସିନ୍ଦୁରପଲ୍ଲୀ ଓ ମୁଣ୍ଡମରାଇ ସମେତ ବନ୍ୟାଜଳରେ ସମ୍ପୂର୍ଣ୍ଣ ବୁଡ଼ି ରହିଥିବା ଗାଁଗୁଡ଼ିକରୁ ଲୋକଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟର ନିୟୋଜିତ କରାଯାଇଛି। ଜଳସ୍ତର ଦ୍ରୁତଗତିରେ ବଢ଼ୁଥିବାରୁ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଉପରେ ଗୁରୁତ୍ୱ ଦିଆଯାଉଛି।
ବିପଦ ସଙ୍କେତ ଟପିଲା ଋଷିକୁଲ୍ୟା, ଜଳମଗ୍ନ ଅନେକ ଗାଁ
ଲଗାଣ ବର୍ଷା ଯୋଗୁଁ ଗଞ୍ଜାମର ବିଭିନ୍ନ ନଦୀରେ ଜଳସ୍ତର ବିପଜ୍ଜନକ ଭାବେ ବୃଦ୍ଧି ପାଇଛି। ପୁରୁଷୋତ୍ତମପୁରଠାରେ ଋଷିକୁଲ୍ୟା ନଦୀର ଜଳସ୍ତର ୧୭.୫୦୦ ମିଟରରେ ପହଞ୍ଚିଛି। ଏହାର ବିପଦ ସଙ୍କେତ ୧୬.୮୩୫ ମିଟର ରହିଥିବାରୁ ନଦୀର ଜଳସ୍ତର ଏହାଠାରୁ ଉପରେ ପ୍ରବାହିତ ହେଉଛି।
ବନ୍ୟାଜଳ ଯୋଗୁଁ ଟାଙ୍କଛାଇରୁ ହିଞ୍ଜିଳିକାଟୁକୁ ସଂଯୋଗ କରୁଥିବା ରାସ୍ତା ପ୍ରାୟ ୩ ଫୁଟ୍ ପାଣିରେ ବୁଡ଼ିଯାଇଛି। ସୋରଡ଼ା ବ୍ଲକରେ ମଧ୍ୟ ଲଗାତାର ତିନି ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରୁ ସ୍ଥିତି ଗମ୍ଭୀର ହୋଇଛି। ଋଷିକୁଲ୍ୟା ନଦୀର ବନ୍ୟାଜଳ ପାଳକାଟୁ, ନୂଆଗାଁ, ତାଟାବାଲି ଓ ସୁରମଣି ଭଳି ଗାଁକୁ ଜଳମଗ୍ନ କରିଛି। ଫଳରେ ଅନେକ ଅଞ୍ଚଳର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।
ଘୋଡ଼ାହାଡ଼ ନଦୀରେ ବନ୍ୟା, NH-326ରେ ଯାତାୟାତ ଠପ୍
ସାନଖେମୁଣ୍ଡି ଓ ଦିଗପହଣ୍ଡି ବ୍ଲକରେ ମଧ୍ୟ ବନ୍ୟା ସ୍ଥିତି ଚିନ୍ତା ବଢ଼ାଇଛି। ଘୋଡ଼ାହାଡ଼ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ପାଳାସପୁର ନିକଟସ୍ଥ ଘୋଡ଼ାହାଡ଼ ସେତୁ ଉପରେ ପ୍ରାୟ ୫ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଦିଗପହଣ୍ଡି-ଆସିକା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଜାତୀୟ ରାଜପଥ-୩୨୬ରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।
ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି। ବିପଦପୂର୍ଣ୍ଣ ସ୍ଥିତିରେ ସେତୁ ପାର୍ ନହେବା ପାଇଁ ପୁଲିସ ପକ୍ଷରୁ ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍ ଲଗାଯାଇଛି।
ପ୍ରଶାସନ ସତର୍କ, ତଳିଆ ଅଞ୍ଚଳରୁ ସ୍ଥାନାନ୍ତର
ବାତ୍ୟା ଅର୍ଣ୍ଣବ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଥିଲେ ମଧ୍ୟ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି।
ନଦୀ ଓ ଜଳାଶୟ ନିକଟକୁ ନଯିବା ସହ ବନ୍ୟାଜଳରେ ବୁଡ଼ିଥିବା ରାସ୍ତା କିମ୍ବା ସେତୁ ପାର୍ ହେବାକୁ ଚେଷ୍ଟା ନକରିବା ପାଇଁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ଉଦ୍ଧାରକାରୀ ଦଳ ସଜାଗ ରହିଥିବା ବେଳେ ଜଳବନ୍ଦୀ ଅଞ୍ଚଳରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଏବେ ପ୍ରଶାସନର ପ୍ରାଥମିକତା ପାଲଟିଛି।