ନୂଆଦିଲ୍ଲୀ: ଦୁଇ ଦୁଇ ପାନ କାର୍ଡ ରଖିବା ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ସମାଜବାଦୀ ପାର୍ଟୀ ନେତା ଆଜାମ ଖାନ ଏବଂ ତାଙ୍କ ପୁଅ ଅବଦୁଲ୍ଲା ଆଜାମଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଆହ୍ଲାବାଦ ହାଇକୋର୍ଟ ଉଭୟଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି ।
ଗତ ୧୫ ଅକ୍ଟୋବରରେ ଆହ୍ଲାବାଦ ହାଇକୋର୍ଟ ମାମଲାର ଶୁଣାଣି କରି ରାୟ ସୁରକ୍ଷିତ ରଖିଥିଲେ । ବିଚାରପତି ସମିତ ଗୋପାଳ ଦୋଷୀ ସାବ୍ୟସ୍ତ ହେବା, ଦଣ୍ଡ ସ୍ଥଗିତ ରଖିବା ଏବଂ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ଶୁଣାଣି କରିଛନ୍ତି । ଆଜମ ଖାନଙ୍କ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି, ଏନ୍.ଆଇ. ଜାଫ୍ରି ଏବଂ ଆଇନଜୀବୀ ଶାଶ୍ୱତ ଆନନ୍ଦ ମାମଲାଟିକୁ ଉପସ୍ଥାପନ କରିଥିଲେ। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ଅନୁପ ତ୍ରିବେଦୀ ଏବଂ ଅତିରିକ୍ତ ସରକାରୀ ଆଇନଜୀବୀ ପରିତୋଷ କୁମାର ମାଲଭିୟା ଯୁକ୍ତି ବାଢ଼ିଥିଲେ ।
ଅଭିଯୋଗ ଅନୁଯାୟୀ ଉଭୟ ଦୁଇ ଦୁଇଟି ପାନ୍ କାର୍ଡ ହାସଲ କରି ବ୍ୟବହାର କରିଥିଲେ । ଯେଉଁଥିରେ ଯେଉଁଥିରେ ଜନ୍ମ ତାରିଖ ଭିନ୍ନ ରହିଛି। ଏହା ବ୍ୟତୀତ, ନିର୍ବାଚନ ନାମାଙ୍କନ ପତ୍ରରେ ମଧ୍ୟ ଏହି ପାନ୍ କାର୍ଡର ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ରହିଛି। ଦୁଇଟି ପାନ୍ (PAN) କାର୍ଡ ସମ୍ବନ୍ଧୀୟ ଏକ ମାମଲାରେ, ନିମ୍ନ ଅଦାଲତଗୁଡ଼ିକ ଦ୍ୱାରା ଦିଆଯାଇଥିବା ଦୋଷୀ ସାବ୍ୟସ୍ତ ଆଦେଶକୁ ଆଜମ ଖାନ ଏବଂ ଅବଦୁଲ୍ଲା ଆଜମ ହାଇକୋର୍ଟରେ ପୁନଃବିଚାର ପାଇଁ ଆବେଦନ କରିଥିଲେ ।
ବିଜେପି ନେତା ଆକାଶ ସକ୍ସେନା ଛଅ ବର୍ଷ ପୂର୍ବେ ଦୁଇଟି ପ୍ୟାନ୍ କାର୍ଡ ସମ୍ପର୍କିତ ସିଭିଲ ଲାଇନ୍ସ ପୋଲିସ ଷ୍ଟେସନରେ ଏଫ୍ଆଇଆର୍ କରିଥିଲେ । ଡିସେମ୍ବର ୬, ୨୦୧୯ରେ ତତ୍କାଳୀନ ବିଜେପି ବିଧାୟକ ଦାଖଲ କରିଥିବା ଅଭିଯୋଗରେ ଅବଦୁଲ୍ଲା ଭିନ୍ନ ଜନ୍ମ ତାରିଖ ସହିତ ଦୁଇଟି ପାନ କାର୍ଡ ହାତେଇଥିବା ଦର୍ଶାଇଥିଲେ । ଗୋଟିଏ ପ୍ୟାନ୍ କାର୍ଡରେ ଅବଦୁଲ୍ଲାଙ୍କ ଜନ୍ମ ତାରିଖ ଜାନୁଆରୀ ୧, ୧୯୯୩ ଉଲ୍ଲେଖ ଥିବାବେଳେ ଅନ୍ୟଟିରେ ସେପ୍ଟେମ୍ବର ୩୦, ୧୯୯୦ ଦର୍ଶାଯାଇଛି । ଏମପି-ଏମଏଲଏ ସ୍ୱତନ୍ତ୍ର କୋର୍ଟ (ମାଜିଷ୍ଟ୍ରେଟ୍ ଟ୍ରାଏଲ୍)ରେ ବାପା ଏବଂ ପୁଅଙ୍କୁ ଦୋଷୀ ସାବ୍ୟସ୍ତ କରି ଉଭୟଙ୍କୁ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଥିଲେ ।