ଗତକାଲି ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ ଘଟିଛି। କଟକ ଏସସିବି ମେଡ଼ିକାଲ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ହୋଇଥିଲା। ଗତ କିଛିଦିନ ଧରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା। ସେ ନିମୋନିଆ ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ପରେ କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ବିଶେଷ କରି ଜଣେ ଇଣ୍ଡିଆନ୍ ଇଂଲିସ୍ ପୋଏଟ୍ ହିସାବରେ ବେଶ୍ ପରିଚିତ। ସେ ହେଉଛନ୍ତି ପ୍ରଥମ ଭାରତୀୟ କବି ଯିଏ କି ଇଂରାଜୀ ଭାଷାରେ କବିତା ଲେଖି ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ ଭାରତ ସରକାରଙ୍କ ଦ୍ଵାରା ୨୦୦୯ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ବେଳେ ଇଂରାଜୀ କବିତା ପାଇଁ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ତାଙ୍କ କୃତି ମଧ୍ୟରେ ଇଣ୍ଡିଆନ୍ ସମର୍, ହଙ୍ଗର ଓ ରିଲେସନସିପ୍ ଭଳି କାବ୍ୟ ଆଧୁନିକ ଭାରତୀୟ ଇଂରାଜୀ ସାହିତ୍ୟରେ ବେଶ୍ ପାଠକୀୟ ଆଦୃତି ଲାଭ କରିଛି। l ତାଙ୍କ ଲେଖନୀରୁ ୨୦ରୁ ଅଧିକ ଇଂରାଜୀ କବିତା ସଂକଳନ ଓ ୭ରୁ ଅଧିକ ଓଡ଼ିଆ କବିତା ସଂକଳନ ଉତୁରିଥିଲା।
ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଖ୍ୟାତିସମ୍ପନ୍ନ କବି ଜୟନ୍ତ ମହାପାତ୍ରଙ୍କ ସାହିତ୍ୟରେ ଓଡ଼ିଶା ମାଟିର କଥା ପ୍ରସ୍ଫୁଟିତ ହୁଏ। କବିତା ମାଧ୍ୟମରେ ସାଧାରଣ ଲୋକଙ୍କ ଜୀବନ ଯାତ୍ରାର କଥା କହିବା ଥିଲା ତାଙ୍କର ଅନନ୍ୟ କୃତି। ତାଙ୍କ ବିୟୋଗରେ ସାହିତ୍ୟ ଜଗତ ଜଣେ ଉଜ୍ଜ୍ୱଳ ପ୍ରତିଭାଙ୍କୁ ହରାଇଲା ବୋଲି କେନ୍ଦ୍ରମନ୍ତ୍ରୀ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।
ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଏହି ମହାନ ସାହିତ୍ୟ ସ୍ରଷ୍ଟାଙ୍କର ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସଂସ୍କାର କରାଯିବ। ସୂଚନାନୁଯାୟୀ, ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ଶେଷ ଇଛା ଅନୁସାରେ ଆଜି ଖାନନଗରସ୍ଥିତ ଇଲେକ୍ଟ୍ରିକ ଚୁଲାରେ ତାଙ୍କ ମରଶରୀରକୁ ଦାହ କରାଯିବ। ତେବେ ପରଲୋକ ପୂର୍ବରୁ ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର ଲେଖିଥିଲେ ମୋ’ ଶେଷ ଇଚ୍ଛା। ଯେଉଁଥିରେ ସେ ୩ଟି କଥା ଲେଖିଛନ୍ତି। ଇଂରାଜୀରେ ଲେଖାଥିବା ମାଇଁ ଲାଷ୍ଟ ଉଇସରେ ସେ ଲେଖିଛନ୍ତି , ମୋ’ ମରଶରୀରକୁ ଖାନନଗର ବିଦ୍ୟୁତ ଚୁଲାରେ ଦାହ କରିବ। ଏହାକୁ କେବେ ହେଲେ ପୋତିବ ନାହିଁ। ମୃତ୍ୟୁ ସମୟରେ ଉପସ୍ଥିତ ବନ୍ଧୁ, ଶୁଭେଚ୍ଛୁମାନଙ୍କ ଗହଣରେ ମୃତଦେହକୁ ଭ୍ୟାନ୍ କିମ୍ୱା ଆମ୍ବୁଲାନ୍ସରେ ନେଇ ଯଥାଶୀଘ୍ର ଦାହ କରିବ। ଏହା ସହ ୩୫ ବର୍ଷ ଧରି ସେବା କରି ଆସୁଥିବା ଶ୍ରୀମତୀ ଜେ. ସରୋଜିନୀଙ୍କୁ ଘର ପାଖରେ ୨୦ ଫୁଟରେ ୨୦ ଫୁଟର ଜମି ଦେବାକୁ ଚିଠିରେ ଉଲ୍ଲେଖ ରହିଛି। ପତ୍ନୀ ଜ୍ୟୋତ୍ସ୍ନା ମହାପାତ୍ର ଓ ପୁଅ ମୋହନ ମହାପାତ୍ର ଓ ମୁଁ ଏ ସଂପର୍କରେ ନିଷ୍ପତ୍ତି ନେଇଛନ୍ତି । ଶେଷରେ ସମସ୍ତ ଚିଠିପତ୍ର, ଦସ୍ତାବିଜ, ଅସଂପୂର୍ଣ୍ଣ ପାଣ୍ଡୁଲିପିକୁ ମୃତ୍ୟୁ ପରେ ପୋତି ଦେବାକୁ ଚିଠିରେ ଲେଖାଯାଇଛି ।
ଅଧିକ ପଢନ୍ତୁ : ଶ୍ରାବଣର ଶେଷ ସୋମବାର