ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର । ଜଳଲାଗି ପାଇଁ ଶୈବପୀଠରେ କାଉଡ଼ିଆଙ୍କ ସହ ଭକ୍ତମାନଙ୍କର ଭିଡ଼ । କାଉଡିଆମାନେ ଦଳଗତ ଭାବେ ଗତକାଲିଠୁ ପାଣି ଉଠାଇ ଜଳଲାଗି ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ପୀଠରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ରାତି ୨ଟାରୁ ପହଡ଼ ଖୋଲାଯାଇ ୧୦୮ ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇଛି । ସ୍ୱତନ୍ତ୍ର ନୀତିକାନ୍ତି ପରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଜଳଲାଗି ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଭିଡକୁ ଦୃଷ୍ଟିରେ ରଖି ପୀଠକୁ ସଂଯୋଗ କରୁଥିବା ସେତୁରେ ବ୍ୟାରିକେଟ୍ କରାଯାଇଛି । ଏହାଛଡା ଶୈବପୀଠ କେଦାରନାଥରେ ମଧ୍ୟ କଉଡିଆ ମାନଙ୍କର ଭିଡ ଦେଖାଯାଇଛି । ଭକ୍ତମାନେ ଦୂର ଦୂର ରୁ ଏହି ପବିତ୍ର ଦିନରେ ଶିବଙ୍କର ଦର୍ଶନ କରିବା ପାଇଁ ଧାଇଁ ଯାଇଛନ୍ତି ।
ଏହାସହ ରାଜଧାନୀର ବିଭିନ୍ନ ଶୈବପୀଠରେ ମଧ୍ୟ ଭକ୍ତଙ୍କର ଭିଡ ଦେଖା ଯାଇଛି । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ଜଳଲାଗି ପାଇଁ କାଉଡ଼ିଆଙ୍କର ଭିଡ ଲାଗିଛି । ଗତ ସନ୍ଧ୍ୟାରୁ କାଉଡିଆମାନେ କାନ୍ଧରେ ଜଳ ଭାର ଧରି ଲିଙ୍ଗରାଜ ପୀଠରେ ଯାଇଛନ୍ତି। ଏନେଇ ମନ୍ଦିର ପ୍ରଶାସନ ପାଖରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ଭୋରରୁ ବାବାଙ୍କୁ ଜଳଲାଗି କରୁଛନ୍ତି ଭକ୍ତମାନେ
ହିନ୍ଦୁଧର୍ମ ମାନ୍ୟତା ଅନୁଯାୟୀ, ଶ୍ରାବଣମାସରେ ଶିବଙ୍କୁ ପୂଜା କଲେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଶ୍ରାବଣ ସୋମବାର ଦିନ ବ୍ରତ ପାଳନ କଲେ ତୁରନ୍ତ ଫଳ ପ୍ରାପ୍ତ ହୋଇଥାଏ । ବର୍ଷକ 12 ମାସ ମଧ୍ୟରେ ଶ୍ରାବଣ ମାସ ହେଉଛି ପବିତ୍ର ମାସ । ଏହି ମାସରେ ଶିବଙ୍କୁ ବିଧି ବିଧାନର ସହ ପୂଜା କରାଯାଏ ।