ବରଗଡ଼: ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୯ତମ ସଂସ୍କରଣ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ହୋଇଛି। ଏହି ଯାତ୍ରାର ମୁଖ୍ୟ ଆକର୍ଷଣ 'ମହାରାଜ କଂସ'ଙ୍କ ଭୂମିକା ପାଇଁ ନୂଆ କଳାକାର ଚୟନ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କଂସ ଅଭିନୟ ପାଇଁ ଆସନ୍ତା ନଭେମ୍ବର ୧ ତାରିଖରେ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବ। ଆଗ୍ରହୀ କଳାକାରମାନେ ନଭେମ୍ବର ୧୫ ତାରିଖ ମଧ୍ୟରେ ଆବେଦନ କରିପାରିବେ। ସବୁଠାରୁ ବଡ଼ କଥା ହେଉଛି, ଏଥର କଂସ ଭୂମିକା ପାଇଁ କଳାକାରଙ୍କ ବୟସ କଟକଣାକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି।
ବୁଧବାର ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଳାକାର ଉପଦେଷ୍ଟା କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବରଗଡ଼ ଅତିରିକ୍ତ ଜିଲ୍ଲାପାଳ (ADM) ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କଂସ ଭୂମିକା ପାଇଁ ନୂଆ କଳାକାର ଚୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ବୈଠକ ଶେଷରେ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ସୂଚନା ଦେଇ କହିଛନ୍ତି ଯେ ନଭେମ୍ବର ୧ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୧୫ ତାରିଖ ଯାଏଁ ଆବେଦନ ଗ୍ରହଣ କରାଯିବ। ଏହା ପରେ ନଭେମ୍ବର ମାସର ଶେଷ ସପ୍ତାହରେ ପରୀକ୍ଷଣ (Audition) ମାଧ୍ୟମରେ କଂସ ଭୂମିକା ପାଇଁ କଳାକାରଙ୍କୁ ଚୟନ କରାଯିବ। ଏଥର ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର କଳାକାରମାନେ ମଧ୍ୟ ଆବେଦନ କରିପାରିବେ, ତେବେ ସେମାନଙ୍କୁ ଆବେଦନପତ୍ର ସହ ନିଜର ସ୍ୱାସ୍ଥ୍ୟଗତ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ଚୟନ ହେଉଥିବା କଳାକାର ଆଗାମୀ ଦୁଇ ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବେ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଧନୁଯାତ୍ରାରେ ମହାରାଜ କଂସଙ୍କ ଭୂମିକାରେ ଅଭିନୟ କରୁଥିବା ଜଣାଶୁଣା କଳାକାର ସୁଶୀଲ ମେହେର ନିଜର ବିରତି ଘୋଷଣା କରିଥିଲେ। ସେ କଂସ ଚରିତ୍ରରୁ ଗୋଟିଏ ବର୍ଷ ପାଇଁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏ ନେଇ ଅଭିନେତା ସୁଶୀଲ ମେହେର ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟଲଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଥିଲେ ଯେ, ବିଗତ ଦିନରେ ତାଙ୍କ ଅଭିନୟ ଏବଂ ବିଭିନ୍ନ ବିବାଦକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ତାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଛି। ଏହି କ୍ରମାଗତ ମାନସିକ ଚାପ ଓ ଅସ୍ଥିରତା କାରଣରୁ ସେ ଚଳିତ ବର୍ଷ ମହାରାଜ କଂସ ଚରିତ୍ରରେ ଅଭିନୟ କରିବାକୁ ଅକ୍ଷମ ବୋଲି ଜଣାଇଥିଲେ।