ଭୁବନେଶ୍ୱର : ବାତ୍ୟା 'ଅର୍ଣ୍ଣବ' ର ପ୍ରଭାବ କମି ନ ଥିଲା ବେଳେ କାଲି ପୁଣି ଏକ ଲଘୁଚାପ ସୃଷ୍ଟି ହେବ। ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏନେଇ ଏବେ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଏକ ଘୂର୍ଣ୍ଣିବଳୟ। ସମୁଦ୍ର ପତ୍ତରୁ ଏହା ୫.୮ କିଲୋମିଟର ଯାଏଁ ବ୍ୟାପିଛି। ତେବେ ଏହି
ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହେବ ନା ନାହିଁ ଅସ୍ପଷ୍ଟ ରହିଛି।
ସେପଟେ ଲ୍ୟାଣ୍ଡଫଲ୍ ପରେ ମଧ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବ ଜାରି ରହିଛି। ଧୀରେ ଧୀରେ ଆଗକୁ ବଢ଼ୁଥିବା ବାତ୍ୟା ଆଜି ରାତି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବା ନେଇ ଆକଳନ କରାଯାଇଛି। ଏହାର ପ୍ରଭାବରେ ଆଜି ଓଡ଼ିଶାରେ ସର୍ବାଧିକ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ।ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିପାରେ। କିଛି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି। ଦକ୍ଷିଣ ଓଡ଼ିଶାରେ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିପାରେ। ଅନ୍ୟପଟେ ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲାଗୁଡ଼ିକରେ ବର୍ଷା ସହ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି।