ଭୁବନେଶ୍ୱର : ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ସୁଗମ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତୁତ ଚାଲିଥିବା ସ୍ୱତନ୍ତ୍ର ଧାଡ଼ି ଦର୍ଶନ ବ୍ୟବସ୍ଥାର ନିର୍ମାଣାଧୀନ ଭିତ୍ତିଭୂମି ଓ କାଠ ବ୍ୟାରିକେଡ୍ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଭକ୍ତମାନଙ୍କ ଭିଡ଼ ନିୟନ୍ତ୍ରଣ ଏବଂ ଶ୍ରୀଜିଉମାନଙ୍କର ସ୍ପଷ୍ଟ ଦର୍ଶନ ପାଇଁ ଏହି ବ୍ୟବସ୍ଥା କରାଯାଉଛି।
ଆଇନମନ୍ତ୍ରୀ ଶ୍ରୀମନ୍ଦିର ଭିତରେ ହେଉଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ଏହାକୁ କିଭଳି ଅଧିକ ସୁବ୍ୟବସ୍ଥିତ କରାଯାଇପାରିବ ସେ ନେଇ ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ୟବସ୍ଥା ଅଧୀନରେ ଶ୍ରୀମନ୍ଦିର ଭିତରେ ସାତପାହାଚ ଠାରୁ ନାଟମଣ୍ଡପ ପର୍ଯ୍ୟନ୍ତ ଫୋଲଡିଂ ବା କୋଲାପସିବଲ୍ କାଠ ବ୍ୟାରିକେଡ୍ ଏବଂ ର୍ୟାମ୍ପ୍ ନିର୍ମାଣ କରାଯାଉଛି। ମହିଳା, ପୁରୁଷ, ଶିଶୁ, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ଓ ପୃଥକ ଧାଡ଼ିର ସୁବିଧା ରହିବ।
ଭିଡ଼ ପରିଚାଳନାକୁ ସହଜ କରିବା ପାଇଁ ଆଇଆଇଟି ଭୁବନେଶ୍ୱର ଦ୍ୱାରା ପ୍ରସ୍ତୁତ ମଡେଲ୍ ଆଧାରରେ ଏହି ବ୍ୟବସ୍ଥା କରାଯାଉଛି, ଯାହାଫଳରେ ପ୍ରତି ଘଣ୍ଟାରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ସହଜରେ ଦର୍ଶନ କରିପାରିବେ । ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ଭକ୍ତଙ୍କ ଅନୁଭୂତିକୁ ଅଧିକ ସୁଗମ, ସୁବ୍ୟବସ୍ଥିତ ଆମର ଲକ୍ଷ୍ୟ ବୋଲି କହିଛନ୍ତି।