ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ଦୁର୍ବଳ ହୋଇଥିଲେ ବି ଛାଡ଼ିନି ବର୍ଷାର ତାଣ୍ଡବ। ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ଦକ୍ଷିଣ ଓଡ଼ିଶା। ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ସର୍ବାଧିକ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆଜି ସକାଳ ୮ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ବର୍ଷା ତଥ୍ୟ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।
ବର୍ଷାର ପ୍ରକୋପ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଅଧିକ ରହିଛି। କନ୍ଧମାଳର ଜି. ଉଦୟଗିରିରେ ୪୬୨.୪ ମିମି ବର୍ଷା ହୋଇଥିବା ବେଳେ ଗଞ୍ଜାମର ସାନଖେମୁଣ୍ଡିରେ ୩୮୮ ମିମି, କନ୍ଧମାଳର ରାଇକିଆରେ ୩୮୪.୮ ମିମି ଏବଂ ଗଞ୍ଜାମର ସୋରଡ଼ାରେ ୩୭୫ ମିମି ବର୍ଷା ରେକର୍ଡ ହୋଇଛି।
ସେହିପରି ଗଞ୍ଜାମର ଚିକିଟିରେ ୩୦୯.୨ ମିମି, ଗଜପତିର ମୋହନାରେ ୩୦୭.୬ ମିମି, କନ୍ଧମାଳର ଦାରିଙ୍ଗବାଡ଼ିରେ ୨୭୩ ମିମି ଏବଂ ଚକାପାଦରେ ୨୪୯ ମିମି ବର୍ଷା ହୋଇଛି।
ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ଏହି ତିନି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି। ଫଳରେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଏବଂ ଯାତାୟାତରେ ବାଧା ଆଶଙ୍କା ବଢ଼ିଛି।
ଅନ୍ୟପଟେ ବାତ୍ୟା ଅର୍ଣ୍ଣବ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏହା ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି। ତେବେ ବାତ୍ୟା ଦୁର୍ବଳ ହେବା ପରେ ମଧ୍ୟ ଏହାର ଅବଶିଷ୍ଟ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି।