ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ବାଲାଂଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ହୋଇଥିବା ଷଡ଼ଯନ୍ତ୍ରକୁ ନେଇ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବାଲାଂଦେଶର ବର୍ତ୍ତମାନର ମଧ୍ୟବର୍ତ୍ତୀକାଳୀନ ସରକାରର ପ୍ରେସ୍ ସଚିବ ତଥା ସେତେବେଳେ ଏଏଫପିର ବ୍ୟୁରୋ ପ୍ରମୁଖ ଥିବା ଶଫିକୁଲ୍ ଆଲମ୍ ଏକ ସୋସିଆଲ୍ ମିଡିଆ ପୋଷ୍ଟ ଜରିଆରେ ଏହି ରହସ୍ୟ ଉନ୍ମୋଚନ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଶେଖ୍ ହସିନାଙ୍କୁ କ୍ଷମତାରୁ ହଟାଇବା ପାଇଁ ହୋଇଥିବା ଯୋଜନାରେ ଜଣେ ବିଦେଶୀ ସାମ୍ବାଦିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ସାମ୍ନାକୁ ଆସିଥିବା ତଥ୍ୟ ଅନୁଯାୟୀ, ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଆଳରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ବହୁ ପୂର୍ବରୁ ଶେଖ୍ ହସିନାଙ୍କ ସରକାରକୁ ହଟାଇବା ପାଇଁ ପ୍ଲାନିଂ କରିସାରିଥିଲା। ସରକାର ପରିବର୍ତ୍ତନ ହେବାର ମାତ୍ର ଦୁଇ ଦିନ ପୂର୍ବରୁ ନୋବେଲ ବିଜେତା ମହମ୍ମଦ ୟୁନୁସ୍ ଏବଂ ଆନ୍ଦୋଳନକାରୀ ଛାତ୍ରମାନଙ୍କ ମଧ୍ୟରେ ଗୁପ୍ତ ଆଲୋଚନା ହୋଇଥିଲା। ଏହି ସମଗ୍ର ଯୋଜନାକୁ କାର୍ଯ୍ୟକାରୀ କରିବାରେ ଜଣେ ସାମ୍ବାଦିକ ମଧ୍ୟସ୍ଥି ବା 'ବ୍ରିଜ୍' ଭାବରେ କାମ କରିଥିଲେ।
ଶଫିକୁଲ୍ ଆଲମ୍ ନିଜ ପୋଷ୍ଟରେ ସ୍ୱୀକାର କରିଛନ୍ତି ଯେ, ଯେତେବେଳେ ଆନ୍ଦୋଳନକାରୀ ଛାତ୍ରନେତାମାନେ ନୋବେଲ ବିଜେତା ମହମ୍ମଦ ୟୁନୁସ୍ଙ୍କ ସହ ଯୋଗାଯୋଗ କରିବାକୁ ଚାହୁଁଥିଲେ ଏବଂ ହସିନାଙ୍କ ପରେ ଗଠିତ ହେବାକୁ ଥିବା ସରକାରର ମୁଖ୍ୟ ହେବାକୁ ନିମନ୍ତ୍ରଣ ଦେବାକୁ ଚାହୁଁଥିଲେ, ସେତେବେଳେ ସେମାନଙ୍କୁ ଜଣେ ବିଶ୍ୱାସଯୋଗ୍ୟ ବ୍ୟକ୍ତିର ଆବଶ୍ୟକତା ଥିଲା। ଏହି ସମୟରେ ଏଏଫପିର ସାମ୍ବାଦିକ କାଦରୁଦ୍ଦିନ ଶିଶିର ଆଗକୁ ଆସି ଛାତ୍ରମାନେ ଏବଂ ମହମ୍ମଦ ୟୁନୁସ୍ଙ୍କ ମଧ୍ୟରେ ସେତୁର କାମ କରିଥିଲେ। ତାଙ୍କ ମାଧ୍ୟମରେ ହିଁ ସମସ୍ତ ବାର୍ତ୍ତା ଏବଂ ଯୋଜନା ଆଗକୁ ବଢ଼ିଥିଲା।
ଏହି ସମଗ୍ର ଅପରେସନକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ବର୍ଣ୍ଣନା କରି ଆଲମ୍ କହିଛନ୍ତି ଯେ, ଯଦି ସେହି ସମୟରେ ଏହି ଷଡ଼ଯନ୍ତ୍ର ସମ୍ପର୍କରେ ହସିନା ସରକାର କିଛି ସୂଚନା ପାଇଯାଆନ୍ତେ, ତେବେ କାଦରୁଦ୍ଦିନ ଶିଶିର ଏବଂ ଏଏଫପିର ସମ୍ପୂର୍ଣ୍ଣ ଟିମ୍କୁ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥା'ନ୍ତା।
ସୂଚନାଯୋଗ୍ୟ ଯେ, ଗତ ୨୦୨୪ ମସିହା ଅଗଷ୍ଟ ମାସରେ ଢାକାରେ ହୋଇଥିବା ହିଂସା ଓ ବ୍ୟାପକ ବିରୋଧ ପ୍ରଦର୍ଶନ ପରେ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଚାଲିଆସିଥିଲେ। ଏହାପରେ ମହମ୍ମଦ ୟୁନୁସ୍ ଦେଶର ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ରାଜନୈତିକ ସ୍ତରରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଘଟଣାକୁ ନେଇ ହୋଇଥିବା ନୂଆ ଖୁଲାସା ପରେ ଅନ୍ତର୍ଜାତୀୟ ରାଜନୀତିରେ ପୁଣି ଥରେ ଚର୍ଚ୍ଚା ଜୋରଧରିଛି।