ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ନିଜ କ୍ଷମତାକୁ ଅଧିକ ମଜବୁତ୍ କରିବା ପାଇଁ ନିଜ ଦଳ ଏବଂ ସେନା ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏକ ଗୁପ୍ତ ବୈଠକ ପରେ ଜିନ୍ପିଙ୍ଗ୍ ଗୋଟିଏ ଝଟ୍କାରେ ୩୩ ଜଣ ଶୀର୍ଷ ନେତା ଏବଂ ବରିଷ୍ଠ ସୈନ୍ୟ ଅଧିକାରୀଙ୍କୁ ପଦରୁ ବହିଷ୍କାର କରିଛନ୍ତି। ଏହି ବଡ଼ କାର୍ଯ୍ୟାନୁଷ୍ଠାନ ପରେ ସମଗ୍ର ବିଶ୍ୱର ନଜର ପୁଣି ଥରେ ବେଜିଂ ଉପରେ ଅଟକି ଯାଇଛି। ଏହି ଅବସରରେ ଜିନ୍ପିଙ୍ଗ୍ ପାର୍ଟି ଏବଂ ସେନାକୁ ଆତ୍ମ-ସମୀକ୍ଷା କରିବା ସହ ସଂସ୍ଥାକୁ ନଷ୍ଟ କରୁଥିବା 'ଭାଇରସ୍'କୁ ଜଡ଼ରୁ ଉପାଡ଼ି ଫିଙ୍ଗିଦେବାକୁ ଆହ୍ୱାନ ଦେଇଛନ୍ତି।
ବିବିସି ରିପୋର୍ଟ ଅନୁଯାୟୀ, ପଦଚ୍ୟୁତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୧୬ ଜଣ ବରିଷ୍ଠ ସୈନ୍ୟ ଅଧିକାରୀ ସାମିଲ ଅଛନ୍ତି। ଜିନ୍ପିଙ୍ଗ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୀନ୍ କେନ୍ଦ୍ରୀୟ କମିଟିର ପଞ୍ଚମ ବୈଠକରେ ବହୁତ କମ୍ ସଦସ୍ୟଙ୍କୁ ଦେଖିବାକୁ ମିଳିଥିଲା। ଏଥର ବୈଠକରେ ମାତ୍ର ୨୭୯ ଜଣ ସଦସ୍ୟ ଯୋଗ ଦେଇଥିବା ବେଳେ ଅକ୍ଟୋବର ୨୦୨୫ରେ ୩୧୫ ଏବଂ ଜୁଲାଇ ୨୦୨୪ରେ ୩୬୪ ଜଣ ସଦସ୍ୟ ଉପସ୍ଥିତ ଥିଲେ। ୨୦୨୨ ମସିହାରେ ୩୭୦ରୁ ଅଧିକ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କମିଟି ଜିନ୍ପିଙ୍ଗ୍ଙ୍କ ଲଗାତାର କାର୍ଯ୍ୟାନୁଷ୍ଠାନ ଯୋଗୁଁ କ୍ରମାଗତ ଭାବେ ଛୋଟ ହେବାରେ ଲାଗିଛି।
ଚୀନ୍ର ଶାସକ କମ୍ୟୁନିଷ୍ଟ ପାର୍ଟି (CCP) ଦୁର୍ନୀତି ନିବାରଣ ଅଭିଯାନ ଏବଂ କଠୋର ଅନୁଶାସନ ଆଳରେ ଏହି ପଦକ୍ଷେପ ନେଇଛି। ୨୦୧୨ରେ କ୍ଷମତାକୁ ଆସିବା ପରଠାରୁ ଜିନ୍ପିଙ୍ଗ୍ ଦୁର୍ନୀତି ବିରୋଧରେ ଲଢ଼େଇକୁ ନିଜର ମୁଖ୍ୟ ଆଜେଣ୍ଡା କରିଛନ୍ତି। ତେବେ ବିଶ୍ଲେଷକମାନଙ୍କ ମତରେ, ବର୍ତ୍ତମାନ ଏହି ଅଭିଯାନକୁ ରାଜନୈତିକ ଆନୁଗତ୍ୟ ନିଶ୍ଚିତ କରିବା ଏବଂ ନିଜ ସତ୍ତାକୁ ସୁରକ୍ଷିତ ରଖିବା ପାଇଁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି।
ପଦଚ୍ୟୁତ ହୋଇଥିବା ନେତାମାନଙ୍କ ମଧ୍ୟରେ ପୂର୍ବତନ ସିନ୍ଜିଆଙ୍ଗ୍ ପାର୍ଟି ପ୍ରମୁଖ ମା ଶିଙ୍ଗ୍ରୁଇ, ପୂର୍ବତନ ଜେନେରାଲ୍ ଝାଙ୍ଗ୍ ୟୁସିଆ ଓ ଲିୟୁ ଝେନ୍ଲି ଏବଂ ପ୍ରମୁଖ କୂଟନୀତିଜ୍ଞ ଲିୟୁ ଜିଆନ୍ଚାଓ ସାମିଲ ଅଛନ୍ତି। ଝାଙ୍ଗ୍ ୟୁସିଆ ଚୀନ୍ର 'ସେଣ୍ଟ୍ରାଲ୍ ମିଲିଟାରୀ କମିଶନ୍' (CMC)ର ଉପାଧ୍ୟକ୍ଷ ଥିଲେ। ଏହି ବହିଷ୍କାର ସେନାର ଯୁଦ୍ଧ ପ୍ରସ୍ତୁତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସମୟରେ, CMC ଉପାଧ୍ୟକ୍ଷ ଝାଙ୍ଗ୍ ଶେଙ୍ଗ୍ମିନ୍ଙ୍କୁ ୨୪ ସଦସ୍ୟବିଶିଷ୍ଟ ପୋଲିଟ୍ବ୍ୟୁରୋକୁ ପ୍ରମୋଟ୍ କରାଯାଇଛି।
କ୍ଷମତା ଉପରେ ଜିନ୍ପିଙ୍ଗ୍ଙ୍କ କଠୋର ପକଡ଼
କମ୍ୟୁନିଷ୍ଟ ପାର୍ଟିର ପରବର୍ତ୍ତୀ ବୈଠକ ୨୦୨୭ର ଶେଷ ଆଡ଼କୁ ଅନୁଷ୍ଠିତ ହେବ। ଏହି ବୈଠକରେ ନୂଆ ନେତୃତ୍ୱ ଦଳ ଚୟନ କରାଯିବ ଏବଂ ଜିନ୍ପିଙ୍ଗ୍ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ପଦ ଦାବି କରିବେ। ଯଦି ଏହା ହୁଏ, ତେବେ ସେ ଚୀନ୍ର ପୁରୁଣା ୧୦ ବର୍ଷିଆ କ୍ଷମତା ନିୟମକୁ ଭାଙ୍ଗି ଦୀର୍ଘ ଦିନ ଧରି ଗାଦିରେ ରହିବେ। ଫଳରେ ଯେଉଁମାନେ ଆନୁଗତ୍ୟର ନାଟକ କରୁଛନ୍ତି, ସେମାନଙ୍କୁ ଦଳରୁ ହଟାଇ ଜିନ୍ପିଙ୍ଗ୍ ନିଜ କ୍ଷମତାକୁ ନିଷ୍କଣ୍ଟକ କରୁଛନ୍ତି।
କ୍ଷମତାଚ୍ୟୁତ ଆଶଙ୍କା ଓ ବିଶେଷଜ୍ଞଙ୍କ ମତ
କାର୍ନେଗୀ ଚାଇନାର ବିଶେଷଜ୍ଞ ଚୋଙ୍ଗ୍ ଜା ଇୟାନ୍ଙ୍କ କହିବା ଅନୁଯାୟୀ, ଏହି ଦୁର୍ନୀତି ନିବାରଣ ଅଭିଯାନ ଆଉ କେବଳ ଲାଞ୍ଚକାରବାର ରୋକିବାରେ ସୀମିତ ନାହିଁ, ବରଂ ନିଜ ସତ୍ତା ବଞ୍ଚାଇବା ଏବଂ ତକ୍ତାପଲ୍ଲଟ୍ ଭୟକୁ ଏଡ଼ାଇବାର ମାଧ୍ୟମ ପାଲଟିଛି। 'ଦି ଇକୋନୋମିଷ୍ଟ'ର ରିପୋର୍ଟ ଅନୁସାରେ, କେବଳ ସେନା କିମ୍ବା ପାର୍ଟି ନୁହେଁ, ବରଂ ଅନେକ ବଡ଼ ବ୍ୟବସାୟୀ ଏବଂ କୋମ୍ପାନୀ ସିଇଓଙ୍କୁ ମଧ୍ୟ ହାଜତକୁ ନିଆଯାଇଛି କିମ୍ବା ସେମାନେ ହଠାତ୍ ନିଖୋଜ ହୋଇଯାଇଛନ୍ତି।