ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ଚୀନ୍ ସେନାର ଉପାଧ୍ୟକ୍ଷ ଝାଙ୍ଗ ଶେଙ୍ଗମିନ୍ଙ୍କୁ କମ୍ୟୁନିଷ୍ଟ ପାର୍ଟିର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କମିଟି 'ପୋଲିଟବ୍ୟୁରୋ'ର ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି। ଝାଙ୍ଗ ଶେଙ୍ଗମିନ୍ଙ୍କ ନିଯୁକ୍ତି ସହ ଜିନ୍ପିଙ୍ଗ୍ ପାର୍ଟିର ପୁରୁଣା ପରମ୍ପରା ଏବଂ ସ୍ଥାପିତ ପ୍ରକ୍ରିୟାରୁ ହଟି ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ସାଧାରଣତଃ କମ୍ୟୁନିଷ୍ଟ ପାର୍ଟିର ପୋଲିଟବ୍ୟୁରୋ ସଦସ୍ୟମାନଙ୍କ ଚୟନ 'ପାର୍ଟି କଂଗ୍ରେସ' ବୈଠକରେ ହୋଇଥାଏ। ପରବର୍ତ୍ତୀ ପାର୍ଟି କଂଗ୍ରେସ ବୈଠକ ୨୦୨୭ ରେ ପ୍ରସ୍ତାବିତ ରହିଛି, କିନ୍ତୁ ତା’ ପୂର୍ବରୁ ହିଁ ଜିନ୍ପିଙ୍ଗ୍, ଝାଙ୍ଗ ଶେଙ୍ଗମିନ୍ଙ୍କୁ ପୋଲିଟବ୍ୟୁରୋର ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି।
ଏହି ନିଷ୍ପତ୍ତି ସହ ଶେଙ୍ଗମିନ୍ ଚୀନ୍ ସେନାର ସବୁଠାରୁ ଶକ୍ତିଶାଳୀ ଅଧିକାରୀ ପାଲଟିଯାଇଛନ୍ତି। ଏହି ସମୟରେ ଚୀନ୍ରେ ଶେଙ୍ଗମିନ୍ ଏକମାତ୍ର ଜେନେରାଲ୍, ଯାହାଙ୍କ ପାଖରେ ଉପାଧ୍ୟକ୍ଷ ପଦବୀ ରହିବା ସହ ସେ ପୋଲିଟବ୍ୟୁରୋର ସଦସ୍ୟ ମଧ୍ୟ ଅଛନ୍ତି। ସେଣ୍ଟ୍ରାଲ କମିଟି ବୈଠକରେ ଉପସ୍ଥାପିତ ରିପୋର୍ଟ ଅନୁଯାୟୀ ବିଗତ ଗୋଟିଏ ବର୍ଷ ମଧ୍ୟରେ ଚୀନ୍ ସେନା ଭିତରେ ୭ ଜଣ ଜେନେରାଲଙ୍କ ମଧ୍ୟରୁ ୫ ଜଣଙ୍କୁ ପଦରୁ ହଟାଯାଇସାରିଛି।
ପ୍ରଥମେ ଜାଣନ୍ତୁ ଝାଙ୍ଗ ଶେଙ୍ଗମିନ୍ କିଏ?
୨୦୨୫ ରେ ଝାଙ୍ଗ ଶେଙ୍ଗମିନ୍ଙ୍କୁ ଚୀନ୍ ସେନାର ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା। ତାଙ୍କ ପାଖରେ ଏପର୍ଯ୍ୟନ୍ତ ଚୀନ୍ ସେନାର ଅନୁଶାସନ ବିଭାଗ ରହିଥିଲା। ଫେବୃଆରୀ ୧୯୫୮ ରେ ଶାନ୍କ୍ସିଠାରେ ଜନ୍ମଗ୍ରହଣ କରିଥିବା ଝାଙ୍ଗ ଶେଙ୍ଗମିନ୍ ୨୦ ବର୍ଷ ବୟସରେ ଚୀନ୍ ଆର୍ମିରେ ଯୋଗଦେଇଥିଲେ। ବର୍ଷ ୨୦୧୦ ରେ ଝାଙ୍ଗଙ୍କ ଭାଗ୍ୟ ବଦଳିଯାଇଥିଲା, ଯେତେବେଳେ ସେ ଏକ ଭୂକମ୍ପ ସହାୟତା ଦଳର ନେତୃତ୍ୱ ନେଇଥିଲେ।
୨୦୧୩ ରେ ଜିନ୍ପିଙ୍ଗ୍ କ୍ଷମତାକୁ ଆସିବା ପରେ ଶେଙ୍ଗମିନ୍ଙ୍କର ଲଗାତାର ପ୍ରମୋସନ୍ ହୋଇଥିଲା। ତାଙ୍କୁ ଜିନ୍ପିଙ୍ଗଙ୍କ ଅତ୍ୟନ୍ତ ବିଶ୍ୱସ୍ତ ବୋଲି ମନେକରାଯାଏ। ଚୀନ୍ ସେନାରେ ଦୁର୍ନୀତି ନିବାରଣ ପାଇଁ ଜିନ୍ପିଙ୍ଗ୍ ତାଙ୍କୁ ଡିସିପ୍ଲିନ୍ କମିଟିର ପ୍ରମୁଖ ନିଯୁକ୍ତ କରିଥିଲେ।
ଦୁର୍ନୀତି ନିବାରଣ କମିଟିର ଚେୟାରମ୍ୟାନ୍ ଥିବା ସମୟରେ ଝାଙ୍ଗ ଚୀନ୍ ଆର୍ମିର ୭ ଜଣ ଜେନେରାଲଙ୍କ ଚାକିରି ଶେଷ କରାଇଥିଲେ। ଚୀନ୍ ଆର୍ମିର ଉପାଧ୍ୟକ୍ଷ ଝାଙ୍ଗ ୟୁକ୍ସିଆଙ୍କ ଚାକିରି ମଧ୍ୟ ଝାଙ୍ଗଙ୍କ ଯୋଗୁଁ ହିଁ ଯାଇଥିଲା। ଝାଙ୍ଗଙ୍କୁ ଏହି ବର୍ଷ ଚୀନ୍ ଉନବିଂଶ ସେଣ୍ଟ୍ରାଲ କମିଟିର ସଦସ୍ୟ ଭାବେ ମଧ୍ୟ ବଛାଯାଇଥିଲା।
୬୭ ବର୍ଷୀୟ ଝାଙ୍ଗ ଏବେ ସବୁଠାରୁ ପାୱାରଫୁଲ୍
ଚୀନ୍ ସେନାରେ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷ ପଦବୀ ଦିଆଯାଇଛି। ଏହାପରେ ଉପାଧ୍ୟକ୍ଷ ପଦବୀ ତିଆରି କରାଯାଇଛି। ସାଧାରଣତଃ ୨ ଜଣ ଉପାଧ୍ୟକ୍ଷ ରହନ୍ତି, କିନ୍ତୁ ଏହି ସମୟରେ ୬୭ ବର୍ଷୀୟ ଝାଙ୍ଗ ଏକାକୀ ଏହି ପଦବୀରେ ଅଛନ୍ତି। ବିଗତ ୬ ମାସ ହେବ ଝାଙ୍ଗ ଏକାକୀ ଏହି ପଦରେ କାର୍ଯ୍ୟରତ ଅଛନ୍ତି। ସାଧାରଣତଃ ଏପରି ହୋଇନଥାଏ।
ଅପରପକ୍ଷରେ, ଏବେ ଝାଙ୍ଗଙ୍କୁ ଜିନ୍ପିଙ୍ଗ୍ ପୋଲିଟବ୍ୟୁରୋର ମଧ୍ୟ ସଦସ୍ୟ ବନାଇଦେଇଛନ୍ତି। ଏହି ନିଷ୍ପତ୍ତି ପରେ ଏବେ ସରକାର ଏବଂ ପାର୍ଟି ଭିତରେ ମଧ୍ୟ ତାଙ୍କର ହସ୍ତକ୍ଷେପ ଓ ପ୍ରଭାବ ବୃଦ୍ଧି ପାଇବ।