ଅକଲାଣ୍ଡ: ବ୍ୟାଟ୍ରେ କମାଲ୍ ଦେଖାଇପାରିଲେନି ରୋହିତ ଶର୍ମା। ବିନା ଖାତା ଖୋଲି ପାଭିଲିୟନ୍ ଫେରିଥିଲେ ହିଟ୍ମ୍ୟାନ୍। ହେଲେ ତାଙ୍କ ଫିଲ୍ଡିଂ ଭାରତକୁ ମ୍ୟାଚ୍ରେ ବଡ଼ ସଫଳତା ଦେଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ୫ ୱିକେଟ୍ରେ ବିଜୟୀ ହେବା ପରେ ରୋହିତଙ୍କୁ ନେଇ ଏଭଳି ମତ ରଖିଛନ୍ତି ଅଧିନାୟକ ଶୁଭମନ ଗିଲ୍।
ବୁଧବାର ଅକଲାଣ୍ଡର ଇଡେନ୍ ପାର୍କରେ ଖେଳାଯାଇଥିବା ଏହି ମ୍ୟାଚ୍ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିଲା। ଡିଏଲ୍ଏସ୍ ନିୟମ ଆଧାରରେ ଭାରତ ୫ ୱିକେଟ୍ରେ ମ୍ୟାଚ୍ ଜିତି ନେଇଥିଲା। ରନ୍ ଚେଜ୍ରେ ବିରାଟ କୋହଲି ୭୪ ରନ୍ର ଦମଦାର ପାଳି ଖେଳି ଦଳର ବିଜୟକୁ ସହଜ କରିଥିଲେ। ତେବେ ରୋହିତଙ୍କ ଏକ ଚମତ୍କାର ରନ୍ଆଉଟ୍କୁ ଗିଲ୍ ମ୍ୟାଚ୍ର ଟର୍ଣ୍ଣିଂ ପଏଣ୍ଟ ବୋଲି କହିଛନ୍ତି।
ରୋହିତଙ୍କ ଗୋଟିଏ ରନ୍ଆଉଟ୍ ବଦଳାଇଦେଲା ମ୍ୟାଚ୍
ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡର ଗ୍ଲେନ୍ ଫିଲିପ୍ସ ଓ ଡାରିଲ୍ ମିଚେଲ୍ ଭଲ ବ୍ୟାଟିଂ କରୁଥିଲେ। ଉଭୟଙ୍କ ମଧ୍ୟରେ ଗଢ଼ି ଉଠୁଥିବା ଭାଗୀଦାରି ଭାରତୀୟ ବୋଲରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ଏହି ସମୟରେ ରୋହିତ ଶର୍ମାଙ୍କ ଚମତ୍କାର ଫିଲ୍ଡିଂ ଯୋଗୁଁ ଡାରିଲ୍ ମିଚେଲ୍ ରନ୍ଆଉଟ୍ ହୋଇଥିଲେ।
ମ୍ୟାଚ୍ ପରବର୍ତ୍ତୀ ସମାରୋହରେ ଗିଲ୍ କହିଥିଲେ, ଭାରତର ବୋଲିଂ ଓ ଫିଲ୍ଡିଂ ଉଭୟ ବେଶ୍ ଭଲ ରହିଥିଲା। ରୋହିତ ଭାଇଙ୍କ ସେହି ରନ୍ଆଉଟ୍ ମ୍ୟାଚ୍ର ଗତି ବଦଳାଇ ଦେଇଥିଲା। ମିଚେଲ୍ ଓ ଫିଲିପ୍ସଙ୍କ ଭାଗୀଦାରି ଆଗକୁ ବଢ଼ିଥିଲେ ଭାରତ ପାଇଁ ସମସ୍ୟା ସୃଷ୍ଟି ହୋଇପାରିଥାନ୍ତା। ପୂର୍ବରୁ ଭାରତ ବିପକ୍ଷରେ ଏହି ଦୁଇ ଖେଳାଳିଙ୍କ ଭଲ ବ୍ୟାଟିଂ ଆମେ ଦେଖିଛୁ। ତେଣୁ ଏହି ୱିକେଟ୍ ଆମ ପାଇଁ ବେଶ୍ ମୂଲ୍ୟବାନ ଥିଲା ବୋଲି ସେ କହିଥିଲେ।