ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଲୋକପ୍ରିୟ ଟି-୨୦ କ୍ରିକେଟ୍ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ଆଗାମୀ ଦିନର ଆୟୋଜନକୁ ନେଇ ଏକ ବଡ଼ ପ୍ରସ୍ତାବ ଦେଇଛନ୍ତି ଏହାର ପ୍ରତିଷ୍ଠାତା ଲଳିତ ମୋଦି। ବର୍ତ୍ତମାନ ମାର୍ଚ୍ଚରୁ ମେ' ମାସ ମଧ୍ୟରେ ଆୟୋଜିତ ହେଉଥିବା IPLକୁ ଅକ୍ଟୋବରରୁ ଏପ୍ରିଲ୍ ମଧ୍ୟରେ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହ ଲିଗ୍ର ମ୍ୟାଚ୍ ସଂଖ୍ୟାକୁ ୯୪କୁ ବୃଦ୍ଧି କରିବା ସପକ୍ଷରେ ମତ ରଖିଛନ୍ତି।
ଏହି ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବା ଦିଗରେ ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି ଲଳିତ ମୋଦି। ତାଙ୍କ ମତରେ, IPLର ବର୍ତ୍ତମାନର ଲୋକପ୍ରିୟତା ଓ ବ୍ୟବସାୟିକ ସଫଳତାକୁ ଦୃଷ୍ଟିରେ ରଖି ଏହାର ଆୟୋଜନ ସମୟ ଓ ମ୍ୟାଚ୍ ସଂଖ୍ୟାର ପୁନର୍ବିଚାର କରିବାର ଆବଶ୍ୟକତା ରହିଛି।
୯୪ ମ୍ୟାଚ୍ କରିବାକୁ ପ୍ରସ୍ତାବ
କ୍ରିକ୍ବଜ୍କୁ ଦେଇଥିବା ସାକ୍ଷାତକାରରେ ଲଳିତ ମୋଦି କହିଛନ୍ତି, ୨୦୦୮ରେ IPL ଆରମ୍ଭ ହେବା ସମୟରେ ଏପ୍ରିଲ୍ ଓ ମେ' ମାସ ହିଁ ଉପଯୁକ୍ତ ସମୟ ଭାବେ ଉପଲବ୍ଧ ଥିଲା। ସେତେବେଳେ ଅନେକ ବିରୋଧ ସତ୍ତ୍ୱେ ଏହି ଲିଗ୍କୁ ଆରମ୍ଭ କରାଯାଇଥିଲା। କିନ୍ତୁ ଏବେ IPLର ସ୍ୱରୂପ ବଦଳିଯାଇଛି। ଏହା ଆଉ କେବଳ ଏକ ଟୁର୍ଣ୍ଣାମେଣ୍ଟ ନୁହେଁ, ବରଂ ବିଶ୍ୱ କ୍ରିକେଟ୍ର ଏକ ବଡ଼ ମଞ୍ଚରେ ପରିଣତ ହୋଇଛି।
ପ୍ରାରମ୍ଭରେ ୮ଟି ଦଳକୁ ନେଇ ୫୯ଟି ମ୍ୟାଚ୍ ସହ ଏହି ଲିଗ୍ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଦଳ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିଲା। ଏବେ ହୋମ୍ ଆଣ୍ଡ୍ ଆୱେ ଫର୍ମାଟ୍ରେ ୧୦ଟି ଦଳ ମଧ୍ୟରେ ୯୦ଟି ଲିଗ୍ ମ୍ୟାଚ୍ ଖେଳାଯାଉଛି। ଏହା ସହିତ ୪ଟି ପ୍ଲେ-ଅଫ୍ ମ୍ୟାଚ୍ ମିଶାଇ ମୋଟ ମ୍ୟାଚ୍ ସଂଖ୍ୟା ୯୪ ହେଉଛି। ଲଳିତ ମୋଦିଙ୍କ ମତରେ, ଲିଗ୍ର ଏହି ବିସ୍ତାର ଏହାର ଲୋକପ୍ରିୟତାକୁ ଦର୍ଶାଉଛି। ତେଣୁ ଆଗାମୀ ଦିନରେ ଏହାର ଆୟୋଜନ ପାଇଁ ଅଧିକ ଉପଯୁକ୍ତ ସମୟ ନିର୍ଦ୍ଧାରଣ କରିବା ଉଚିତ।
ଜୟ ଶାହଙ୍କ ସହଯୋଗ ଲୋଡ଼ିଲେ
IPLର ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ପାଇଁ ଲଳିତ ମୋଦି ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କୁ ଆଗକୁ ଆସିବାକୁ ଅନୁରୋଧ କରିଛନ୍ତି। ତାଙ୍କ ମତରେ, ଅକ୍ଟୋବରରୁ ଏପ୍ରିଲ୍ ମଧ୍ୟରେ IPL ଆୟୋଜନ କରାଗଲେ ଏହାର ସମୟସୀମାକୁ ଅଧିକ ଭଲ ଭାବେ ନିୟନ୍ତ୍ରଣ କରାଯାଇପାରିବ। ଅନ୍ୟପଟେ, IPL ଅଧ୍ୟକ୍ଷ ଅରୁଣ ଧୂମଲ ମଧ୍ୟ ପୂର୍ବରୁ ମ୍ୟାଚ୍ ସଂଖ୍ୟା ବୃଦ୍ଧି ପାଇଁ ଟୁର୍ଣ୍ଣାମେଣ୍ଟକୁ ଦୁଇଟି ପର୍ଯ୍ୟାୟରେ ଆୟୋଜନ କରିବାର ପ୍ରସ୍ତାବ ଦେଇଥିଲେ।