ନୂଆଦିଲ୍ଲୀ: ଭାରତୀୟ ହକି ଦଳ ୨୦୨୬ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଦମଦାର ପ୍ରଦର୍ଶନ ଜାରି ରଖିଛି। ଜଳନ୍ଧରର ଅଲିମ୍ପିଆନ୍ ସୁରଜିତ ସିଂହ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ଭାରତ ମାଲେସିଆକୁ ୪-୨ ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ କ୍ରମାଗତ ଚତୁର୍ଥ ସଫଳତା ହାସଲ କରି ସେମିଫାଇନାଲ୍ରେ ନିଜର ସ୍ଥାନ ପକ୍କା କରିଛି।
ଅଧିନାୟକ ହରମନପ୍ରୀତଙ୍କ ଚମତ୍କାର ହ୍ୟାଟ୍ରିକ୍
ମ୍ୟାଚ୍ର ଆରମ୍ଭରୁ ହିଁ ଭାରତୀୟ ଦଳ ଆଧିପତ୍ୟ ଜାହିର କରିଥିଲା। ଦଳର ଅଧିନାୟକ ତଥା ଷ୍ଟାର୍ ପ୍ଲେୟାର୍ ହରମନପ୍ରୀତ ସିଂହ ମ୍ୟାଚ୍ରେ ଜବରଦସ୍ତ ହ୍ୟାଟ୍ରିକ୍ ସଫଳତା ହାସଲ କରିଛନ୍ତି। ସେ ୩ୟ, ୩୩ତମ ଏବଂ ୫୮ତମ ମିନିଟ୍ରେ ଗୋଲ୍ ସ୍କୋର କରିଥିଲେ।
ହରମନପ୍ରୀତଙ୍କ ବ୍ୟତୀତ ଭାରତ ପକ୍ଷରୁ ସୁଖଜିତ ସିଂହ ୪୩ତମ ମିନିଟ୍ରେ ଆଉ ଏକ ଗୋଲ୍ ଦେଇ ଦଳର ସ୍ଥିତିକୁ ଆହୁରି ମଜବୁତ କରିଥିଲେ। ଅନ୍ୟପକ୍ଷରେ ମାଲେସିଆ ପକ୍ଷରୁ ଅଖିମୁଲ୍ଲା ଅନୁଆର ଏବଂ ଶେଲୋ ସିଲଭେରିୟସ୍ ଗୋଲ୍ ସ୍କୋର କରିଥିଲେ ମଧ୍ୟ ବିଜୟୀ ହୋଇପାରି ନଥିଲେ।
ରାଉଣ୍ଡ ରବିନ୍ ପଦ୍ଧତିରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ବ୍ୟତୀତ ମାଲେସିଆ, ଜାପାନ ଏବଂ ଦକ୍ଷିଣ କୋରିଆ ମଧ୍ୟ ସେମିଫାଇନାଲ୍କୁ୍ ଉନ୍ନୀତ ହୋଇଛନ୍ତି। ପଏଣ୍ଟ ଟେବୁଲ୍ର ଶୀର୍ଷରେ ଥିବା ଭାରତୀୟ ଦଳ ସୋମବାର ଦକ୍ଷିଣ କୋରିଆକୁ ଭେଟିବାକୁ ଥିବାବେଳେ, ଅନ୍ୟ ଏକ ସେମିଫାଇନାଲ୍ ମୁକାବିଲାରେ ଜାପାନ ଓ ମାଲେସିଆ ପରସ୍ପରକୁ ଭେଟିବେ।
Also Read: ହାଇଲୋ ଓପନ ୨୦୨୬: ଇତିହାସ ରଚିଲେ ଲକ୍ଷ୍ୟ ସେନ୍, ଦୁଇଥର ଏହି ଟାଇଟଲ୍ ଜିତିବାରେ ପ୍ରଥମ ଭାରତୀୟ