ଚେନ୍ନାଇ: ତାମିଲନାଡ଼ୁରେ ଏକ ନୂତନ ଏବଂ ସ୍ୱତନ୍ତ୍ର ରାଜ୍ୟ ପତାକା ଗଠନକୁ ନେଇ ବଡ଼ଧରଣର ରାଜନୈତିକ ବିବାଦ ଦେଖାଦେଇଛି। ରାଜ୍ୟ ସରକାରଙ୍କ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଆଧବ ଅର୍ଜୁନ ତାମିଲନାଡ଼ୁ ପାଇଁ ଏକ ସ୍ୱତନ୍ତ୍ର ପତାକା ରହିବା ଦରକାର ବୋଲି ଦାବି କରିବା ସହ ଏହାକୁ ଜାତୀୟ ପତାକା (ତ୍ରିରଙ୍ଗା) ସମକକ୍ଷ ମାନ୍ୟତା ଦେବାକୁ କହିଛନ୍ତି। ତେବେ ଏହି ପ୍ରସ୍ତାବକୁ ନେଇ ଭାରତୀୟ ଜନତା ପାର୍ଟି (BJP) କଡ଼ା ବିରୋଧ ପ୍ରକାଶ କରିବା ସହ ଏହାକୁ ବିଚ୍ଛିନ୍ନତାବାଦୀ ଚିନ୍ତାଧାରା' ବୋଲି ଅଭିହିତ କରିଛି।
ମନ୍ତ୍ରୀ ଆଧବ ଅର୍ଜୁନ ଏକ କାର୍ଯ୍ୟକ୍ରମରେ ମତ ପ୍ରକାଶ କରି କହିଛନ୍ତି ଯେ ରାଜ୍ୟର ଅସ୍ମିତା ଓ ପରିଚୟ ବଜାୟ ରଖିବା ପାଇଁ ତାମିଲନାଡ଼ୁର ନିଜସ୍ୱ ଏକ ପତାକା ରହିବା ଆବଶ୍ୟକ। ଏହି ପତାକାକୁ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଏବଂ ପରେ ରାଜ୍ୟର ପ୍ରତିଟି ଗୃହରେ ସମ୍ମାନର ସହ ଉତ୍ତୋଳନ କରାଯିବା ଉଚିତ୍ ବୋଲି ସେ ମତ ଦେଇଛନ୍ତି। ବିଶେଷକରି ପ୍ରତିବର୍ଷ ନଭେମ୍ବର ୧ (ରାଜ୍ୟ ପୁନର୍ଗଠନ ଦିବସ) ଏବଂ ଜୁଲାଇ ୧୮ ତାରିଖରେ ଏହି ପତାକା ପ୍ରଦର୍ଶନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।
ଅନ୍ୟପକ୍ଷରେ, ଶାସକ ଦଳର ମନ୍ତ୍ରୀଙ୍କ ଏପରି ବୟାନକୁ ବିରୋଧ କରି ବିଜେପି କଡ଼ା ପ୍ରତିକ୍ରିୟା ରଖିଛି। ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ଯେ ଏଭଳି ଦାବି ଦେଶର ଅଖଣ୍ଡତା ଏବଂ ଜାତୀୟ ପତାକାର ମର୍ଯ୍ୟାଦା ପ୍ରତି କୁଠାରଘାତ କରୁଛି। ତାମିଲ ପରିଚୟ କିମ୍ବା ସଂସ୍କୃତିକୁ ପ୍ରମାଣିତ କରିବା ପାଇଁ କୌଣସି ଅତିରିକ୍ତ ପତାକାର ଆବଶ୍ୟକତା ନାହିଁ, କାରଣ ଭାରତୀୟ ତ୍ରିରଙ୍ଗା ପତାକା ତଳେ ସମସ୍ତେ ଏକାଠି ଅଛନ୍ତି ବୋଲି ସେମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
Also Read: ଗୋଟିଏ ଦିନରେ ୨ ଲକ୍ଷ ଗାଡ଼ିର RC ବାତିଲ୍: ଆହୁରି ୨୫ ଲକ୍ଷ ଗାଡ଼ି ଉପରେ ଝୁଲୁଛି କାର୍ଯ୍ୟାନୁଷ୍ଠାନର ଖଣ୍ଡା