ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଘଣ୍ଟାପ୍ରତି ପ୍ରାୟ ୨୨ ରୁ ୨୩ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢୁଛି। ଚେନ୍ନାଇରୁ ୭୦୦ କିମି ଦୂରରେ ଓ ବିଶାଖାପଟନମ୍ ଓ ମଛଲିପଟ୍ଟନମରୁ ୭୭୦ କିମି ଦୂରରେ ରହିଛି ଅବପାତ।ଏହା ଆଗାମୀ ସମୟରେ ଅଧିକ ଘନୀଭୂତ ହୋଇ ଏକ ଭୀଷଣ ବାତ୍ୟା ‘ମୁରାସୁ’ ର ରୂପ ନେବାକୁ ଯାଉଛି।
ଲ୍ୟାଣ୍ଡଫଲ୍ ସମ୍ଭାବନା: ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଏହି ସିଷ୍ଟମ୍ଟି ନଭେମ୍ବର ୩ ତାରିଖ ସକାଳେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ନରସାପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ତେବେ ଲ୍ୟାଣ୍ଡଫଲ୍ ସମୟରେ ଉପକୂଳ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୧୦ କିମି ଏବଂ ଝଟକା ପବନର ବେଗ ୧୨୦ କିମି ପର୍ଯ୍ୟନ୍ତ ହୋଇପାରେ।
ବାତ୍ୟା ପ୍ରଭାବରେ ନଭେମ୍ବର ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲା ଯଥା- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି। ବାତ୍ୟା ‘ଅର୍ଣ୍ଣବ’ ପରେ ଏହା ଦ୍ୱିତୀୟ ସିଷ୍ଟମ୍ ହୋଇଥିବାରୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି ।