ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ପାଞ୍ଚ ତାରକା ହୋଟେଲରେ ଅଭାବନୀୟ ଘଟଣା ଘଟିଛି । ହୋଟେଲର ସୁଇମିଂ ପୁଲରେ ଗାଧୋଉଥିବା ସମୟରେ ବିଦ୍ୟୁତ ଆଘାତରେ ଆସି ଦୁଇ ଜଣ ବିଦେଶୀ ନାଗରିକଙ୍କର ମୃତ୍ୟୁ ହୋଇଛି । ମୃତକମାନେ ଜର୍ମାନୀ ୫୭ ବର୍ଷୀୟ ଆଲେକ୍ଜାଣ୍ଡାର୍ ମାକ୍ସିମିଲିଆନ୍ ଥିସ୍ ଏବଂ ସ୍ଲୋଭାକିଆର ନାଗରିକ ୪୫ ବର୍ଷୀୟ ଜୁରାଜ୍ ହୋର୍ଭାଟ୍ ବୋଲି ଚିହ୍ନଟ କରାଯାଇଛି । ବେଙ୍ଗାଲରୁର ପ୍ରସିଦ୍ଧ 'କନରାଡ୍' ହୋଟେଲର ଏହି ଘଟଣା ଘଟିଛି।
ଶୁକ୍ରବାର ସନ୍ଧ୍ୟାରେ, ଜର୍ମାନୀ ଓ ସ୍ଲୋଭାକିଆ ନାଗରିକ ପଞ୍ଚତାରକା ହୋଟଲର ସୁଇମିଂ ପୁଲରେ ଗାଧୋଉଥିଲେ । ଆମେରିକାର ମାଥ୍ୟୁ ଡେସାଣ୍ଟିସ୍ ଏବଂ ଭାରତୀୟ ନାଗରିକ ରାହୁଲ ତିୱାରୀ (28) ସୁଇମିଂ ପୁଲ ନିକଟରେ ବିଶ୍ରାମ ନେଉଥିଲେ । ଏହି ସମୟରେ ହଠାତ ସୁଇମିଂ ପୁଲରେ କରେଣ୍ଟ ଲାଗିବାକୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କୁ ବଞ୍ଚାଇବାକୁ ଯାଇ ମାଥ୍ୟୁ ଓ ରାହୁଲ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଭୟ ବର୍ତ୍ତମାନ ବିପଦ ମୁକ୍ତ ରହିଥିବା ପୋଲିସ କମିଶନର୍ ବିକ୍ରମ ଆମେଥେ ସୂଚନା ଦେଇଛନ୍ତି ।
ଜର୍ମାନୀର ନାଗରିକ ଆଲେକ୍ଜାଣ୍ଡାର୍ ମାକ୍ସିମିଲିଆନ୍ ଥିସ୍ ଲୁଫ୍ଥାନସା ଏୟାରଲାଇନ୍ସର ଜଣେ କ୍ରୁ ସଦସ୍ୟ ଥିଲେ। ଏହା ବ୍ୟତୀତ, ପ୍ରାଣ ହରାଇଥିବା ସ୍ଲୋଭାକିଆର ନାଗରିକ ଜୁରାଜ୍ ହୋର୍ଭାଟ୍, ଆଇବିଏମ୍ ରେ ପ୍ରୋଜେକ୍ଟ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ।