ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି ଯେ, ସମ୍ପର୍କ ଶେଷ ହୋଇଯିବା ପରେ ପୂର୍ବର ପାରସ୍ପରିକ ସହମ୍ମତିପୂର୍ଣ୍ଣ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ବୋଲି ଧରାଯାଇପାରିବ ନାହିଁ। କୋର୍ଟଙ୍କ ଅନୁଯାୟୀ, ଏପରି ମନୋଭାବ ପୁରୁଷଙ୍କ ସ୍ୱାଧୀନତା ଉପରେ ରୋକ୍ ଲଗାଏ, କାରଣ ଏହା ତାଙ୍କର ନିଜସ୍ୱ ଇଚ୍ଛା କିମ୍ବା ସ୍ୱାଧୀନତାକୁ ସମ୍ପୂର୍ଣ୍ଣ ସମାପ୍ତ କରିଦିଏ। ଏପରି ସ୍ଥିତିରେ, ଜଣେ ପୁରୁଷ ସବୁଦିନ ପାଇଁ ସେହି ସମ୍ପର୍କରେ ବାନ୍ଧିହୋଇ ରହିବାକୁ ବାଧ୍ୟ ହୋଇପାରନ୍ତି।
ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଆଇନ ପ୍ରଣେତାମାନଙ୍କର କେବେବି ଏହି ଉଦ୍ଦେଶ୍ୟ ନଥିଲା ଯେ ପାରସ୍ପରିକ ସମ୍ମତିରୁ ଗଢ଼ିଉଠିଥିବା ପ୍ରେମ ସମ୍ପର୍କ ସମୟରେ ବୟସ୍କମାନଙ୍କ ମଧ୍ୟରେ ହୋଇଥିବା ଯୌନ ସମ୍ପର୍କକୁ, ସମ୍ପର୍କ ଶେଷ ହୋଇଯିବା ପରେ ଅତୀତରୁ ଲାଗୁ କରି ଅପରାଧ ବୋଲି ମାନିନିଆଯାଉ। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ରଖିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଦୁଷ୍କର୍ମ ମାମଲାରୁ ନିର୍ଦ୍ଦୋଷରେ ଖଲାସ କରିବା ଅବସରରେ ଦେଶର ଶୀର୍ଷ ଅଦାଲତ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି।
‘ସହମ୍ମତିର ସମ୍ପର୍କକୁ ଅପରାଧରେ ରୂପାନ୍ତରିତ କରିବା ଚିନ୍ତାଜନକ’
ବିଚାରପତି ବି.ଭି. ନାଗରତ୍ନା ଏବଂ ବିଚାରପତି ଆର୍. ମହାଦେବନଙ୍କ ବେଞ୍ଚ୍ ନିକଟ ଅତୀତରେ ଦେଖାଦେଇଥିବା ଏକ ଚିନ୍ତାଜନକ ପ୍ରବୃତ୍ତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଭାଙ୍ଗିଯାଇଥିବା ସମ୍ମତିପୂର୍ଣ୍ଣ ସମ୍ପର୍କଗୁଡ଼ିକୁ ପରବର୍ତ୍ତୀ ସମୟରେ ଏପରି ଭାବେ ଯାଞ୍ଚ କରାଯାଉଛି, ଯେପରି ସେହି ଘଟଣାଗୁଡ଼ିକୁ ହିଂସା କିମ୍ବା ଯୌନ ନିର୍ଯାତନା ଭାବେ ଦର୍ଶାଯାଇପାରିବ।
ସୁପ୍ରିମ୍ କୋର୍ଟ ଶୁଣାଣି ସମୟରେ ଦୁଇଟି ସ୍ଥିତି ମଧ୍ୟରେ ସ୍ପଷ୍ଟ ପାର୍ଥକ୍ୟ ଦର୍ଶାଇଛନ୍ତି:
• ପ୍ରଥମ ସ୍ଥିତି: ଯେଉଁଠାରେ ସହମ୍ମତିର ଅଭାବ ଆରମ୍ଭରୁ ହିଁ ପ୍ରତାରଣା, ଛଳନା ଏବଂ ମିଥ୍ୟାର ଜାଲ ଉପରେ ଆଧାରିତ ଥିବ।
• ଦ୍ୱିତୀୟ ସ୍ଥିତି: ଯେଉଁଠାରେ ସମ୍ପର୍କ ଶେଷ ହେବା ପରେ ବ୍ୟକ୍ତିଙ୍କୁ ନିଜର ଅତୀତର ଯୌନ ସମ୍ପର୍କକୁ ନେଇ ଅନୁତାପ ହୋଇଥାଏ।
କୋର୍ଟଙ୍କ କହିବା କଥା ଯେ, ଦ୍ୱିତୀୟ ସ୍ଥିତି ଦୁର୍ଭାଗ୍ୟଜନକ ହୋଇପାରେ, କିନ୍ତୁ ଏହାକୁ ପାରସ୍ପରିକ ସମ୍ମତିପୂର୍ଣ୍ଣ ସମ୍ପର୍କକୁ ଅପରାଧ ମାନିବାର ଆଧାର କରାଯାଇପାରିବ ନାହିଁ। କିମ୍ବା ଏହା ଆଧାରରେ ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସକ୍ରିୟ କରାଯାଇ ଅଭିଯୁକ୍ତଙ୍କ ସ୍ୱାଧୀନତା ଏବଂ ପ୍ରତିଷ୍ଠା ହାନି କରାଯାଇପାରିବ ନାହିଁ।
ପୁରୁଷଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଓ ଅଧିକାର
ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଏହିପ୍ରକାରର ମନୋଭାବ ପୁରୁଷଙ୍କ ସ୍ୱାଧୀନତା ଉପରେ ରୋକ୍ ଲଗାଏ, କାରଣ ଏହା ତାଙ୍କର ନିଜସ୍ୱ ଇଚ୍ଛା କିମ୍ବା ସ୍ୱାଧୀନତାକୁ ସମ୍ପୂର୍ଣ୍ଣ ଶେଷ କରିଦିଏ। ଏହାଦ୍ୱାରା ପରବର୍ତ୍ତୀ ସମୟରେ ଦୁଷ୍କର୍ମ ଅଭିଯୋଗ ଲାଗିବାର ଭୟରେ ଜଣେ ପୁରୁଷ ସବୁଦିନ ପାଇଁ ସେହି ସମ୍ପର୍କରେ ବାନ୍ଧିହୋଇ ରହିବାକୁ ବାଧ୍ୟ ହୋଇପାରନ୍ତି।
କୋର୍ଟ ପ୍ରଶ୍ନ ଉଠାଇଛନ୍ତି ଯେ, ଏପରି ପରିସ୍ଥିତିରେ କ’ଣ କୁହାଯାଇପାରିବ ଯେ ପୁରୁଷଙ୍କୁ ସମ୍ପର୍କରୁ ବାହାରିବାର କୌଣସି ଅଧିକାର ନାହିଁ? କ’ଣ ତାଙ୍କର ଏହି ନିଷ୍ପତ୍ତିକୁ ପ୍ରତାରଣା କିମ୍ବା ଠକେଇ କୁହାଯାଇପାରିବ? ଏହାର ଉତ୍ତରରେ କୋର୍ଟ କହିଛନ୍ତି- ସମ୍ପୂର୍ଣ୍ଣ ନୁହେଁ।
ଦୁଷ୍କର୍ମ ଆଇନର ଗାମ୍ଭୀର୍ଯ୍ୟ ରକ୍ଷା କରିବା ଜରୁରୀ
କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କେବଳ ସମ୍ପର୍କ ଖରାପ ହୋଇ ଭାଙ୍ଗିଯାଇଥିବା କାରଣରୁ ପୂର୍ବର ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ମାନିନିଆଯାଇପାରିବ ନାହିଁ। ଦୁଷ୍କର୍ମ ଏକ ଅତ୍ୟନ୍ତ ଗୁରୁତର ଅପରାଧ। ଏହାକୁ କେବଳ ସେହି ମାମଲାଗୁଡ଼ିକ ପାଇଁ ସଂରକ୍ଷିତ ରଖାଯିବା ଉଚିତ୍, ଯେଉଁଠାରେ ବାସ୍ତବରେ ଯୌନ ହିଂସା ହୋଇଥିବ, ଜୋର୍-ଜବରଦସ୍ତି କରାଯାଇଥିବ, କିମ୍ବା ସମ୍ମତି ହାସଲ କରିବାରେ କୌଣସି ପ୍ରତାରଣା କରାଯାଇଥିବ। ସମ୍ପର୍କ ବିଗିଡ଼ିଯିବା ପରେ ତାହାକୁ ଦୁଷ୍କର୍ମ ଅଭିଯୋଗରେ ବଦଳାଇଦେବା ଦ୍ୱାରା ଅପରାଧର ଗାମ୍ଭୀର୍ଯ୍ୟ କମିଯାଏ।
ଏହାସହ କୋର୍ଟ ଦୋହରାଇଛନ୍ତି ଯେ, ଦୁଷ୍କର୍ମ କୌଣସି ମହିଳାଙ୍କ ଶାରୀରିକ ସ୍ୱାଧୀନତା ଏବଂ ମର୍ଯ୍ୟାଦା ଉପରେ ଗଭୀର ଆଘାତ କରିଥାଏ। ଅନେକ ସମୟରେ ପୀଡ଼ିତାମାନେ ଲୋକଲଜ୍ଜା ଭୟରେ ନୀରବ ରହନ୍ତି। ସେଥିପାଇଁ ଯେଉଁଠାରେ ସ୍ପଷ୍ଟ ଭାବେ ଯୌନ ନିର୍ଯାତନା ଏବଂ ହିଂସା ହୋଇଥିବ, ସେଠାରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। କିନ୍ତୁ କେବଳ ସମ୍ପର୍କ ଭାଙ୍ଗିଯିବା କାରଣରୁ ନ୍ୟାୟ ପ୍ରଣାଳୀର ଦୁରୁପଯୋଗ କରି କାହାକୁ ହଇରାଣ କରାଯିବା ଉଚିତ୍ ନୁହେଁ।