ମୁମ୍ବାଇ: ଧନ, ସମ୍ପତ୍ତି ଓ ସଫଳତାର ଶିଖରରେ ପହଞ୍ଚିଥିବା ମଣିଷର ହୃଦୟରେ ବି ରହିଥାଏ ଭାବନାର ଗଭୀର ସାଗର। କେତେବେଳେ ଖୁସି ଆଖିରେ ଲୁହ ହୋଇ ଝରିପଡ଼େ, ତ ଆଉ କେତେବେଳେ ଦୁଃଖ ଭିତରେ ବି ଓଠରେ ହସ ଫୁଟିଉଠେ। ଏମିତି ଏକ ଭାବପ୍ରବଣ ମୁହୂର୍ତ୍ତ ଦେଖିବାକୁ ମିଳିଛି ଜିଓ ପ୍ଲାଟଫର୍ମସର ଆଇପିଓ ଲଞ୍ଚ କାର୍ଯ୍ୟକ୍ରମରେ। ନିଜ ପିଲାମାନଙ୍କ ମନର କଥା ଶୁଣି ଭାବୁକ ହୋଇପଡ଼ିଥିଲେ ଶିଳ୍ପପତି ମୁକେଶ ଅମ୍ବାନୀ।
କାର୍ଯ୍ୟକ୍ରମରେ ପିଲାମାନେ ନିଜ ମନର କଥା କହୁଥିବା ବେଳେ ମୁକେଶ ଅମ୍ବାନୀଙ୍କ ମୁହଁରେ କେତେବେଳେ ହସ ଫୁଟି ଉଠୁଥିଲା ତ ଆଉ କେତେବେଳେ ଆଖି ଛଳଛଳ ହୋଇଯାଉଥିଲା। ତାଙ୍କ ମୁହଁରେ ଖୁସି ଓ ଭାବପ୍ରବଣତାର ଏହି ମିଶ୍ରିତ ଅନୁଭବ ଉପସ୍ଥିତ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ପିଲାଙ୍କ କଥାରେ ମିଳିଲା ବର୍ଷ ବର୍ଷର ସ୍ମୃତି
ଜୀବନରେ ଅନେକ ବଡ଼ ବଡ଼ ସଫଳତା ମିଳିପାରେ, କିନ୍ତୁ ନିଜ ପିଲାଙ୍କ ମୁହଁରୁ ନିଜ ପାଇଁ ଭଲପାଇବାର କଥା ଶୁଣିବାର ଖୁସି ଅଲଗା। ସମ୍ଭବତଃ ସେହି ମୁହୂର୍ତ୍ତରେ ପିଲାଙ୍କ କଥା ମଧ୍ୟରେ ନିଜ ଜୀବନର ସଂଘର୍ଷ, ସ୍ମୃତି, ସ୍ନେହ ଓ ପରିବାରର ଆତ୍ମୀୟତାକୁ ଅନୁଭବ କରୁଥିଲେ ମୁକେଶ ଅମ୍ବାନୀ।
ପ୍ରେମରେ ହସ ଅଛି, ଲୁହ ବି ଅଛି
ରାଧାଙ୍କ କୃଷ୍ଣ ବିରହକୁ କଳ୍ପନା କଲେ ଯେମିତି ସ୍ମୃତିରେ ହସ ଓ ଆଖିରେ ଲୁହ ଏକାଠି ଆସିଯାଏ, ଠିକ୍ ସେମିତି କିଛି ଭାବନା ଏହି ଦୃଶ୍ୟରେ ପ୍ରତିଫଳିତ ହୋଇଥିଲା। କାରଣ, କିଛି ସମ୍ପର୍କର ଗଭୀରତାକୁ କେବଳ ହସ କିମ୍ବା ଲୁହରେ ବୁଝାଇ ହୁଏନାହିଁ। ଜିଓର ଏହି ମଞ୍ଚରେ ମୁକେଶ ଅମ୍ବାନୀଙ୍କ ଭାବୁକ ମୁହୂର୍ତ୍ତ ମନେ ପକାଇଦେଲା, ବଡ଼ରୁ ବଡ଼ ସଫଳତାଠାରୁ ବି ପରିବାରର ଭଲପାଇବା କେତେ ମୂଲ୍ୟବାନ।