ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଏକ ଯୁଗର ଅବସାନ। ୪୨ ବର୍ଷର ଗୌରବମୟ ସାମରିକ ସେବା ପରେ ଅବସର ନେଇଛନ୍ତି ଏୟାର ଚିଫ୍ ମାର୍ଶାଲ ଏ.ପି. ସିଂହ। ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନାର ନେତୃତ୍ୱ ନେଇଥିବା ଏହି ବରିଷ୍ଠ ଅଧିକାରୀ ଶନିବାର ନିଜର ଦୀର୍ଘ ସାମରିକ ଜୀବନକୁ ବିଦାୟ ଜଣାଇଛନ୍ତି।
୪୨ ବର୍ଷର ଦୀର୍ଘ ଯାତ୍ରା ପରେ ଏ.ପି. ସିଂହଙ୍କ ବିଦାୟ ସହ ଭାରତୀୟ ବାୟୁସେନାରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।ଅବସର ପୂର୍ବରୁ ଏୟାର ଚିଫ୍ ମାର୍ଶାଲ ସିଂହ ଜାତୀୟ ଯୁଦ୍ଧ ସ୍ମାରକୀରେ ପହଞ୍ଚି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନଙ୍କ ସ୍ମୃତିରେ ସେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ଏୟାରଫୋର୍ସ ଷ୍ଟେସନର ପରେଡ୍ ଗ୍ରାଉଣ୍ଡରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ଭାବେ ଏୟାର ଚିଫ୍ ମାର୍ଶାଲ ଆଶୁତୋଷ ଦୀକ୍ଷିତ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଜଣେ ଦକ୍ଷ ଫାଇଟର ପାଇଲଟ୍ ଏବଂ ଏକ୍ସପେରିମେଣ୍ଟାଲ୍ ଟେଷ୍ଟ ପାଇଲଟ୍ ଭାବେ ଏ.ପି. ସିଂହ ବାୟୁସେନାର ଯୁଦ୍ଧ କ୍ଷମତା, ପ୍ରସ୍ତୁତି ଏବଂ ଆଧୁନିକୀକରଣରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ତାଙ୍କ କାର୍ଯ୍ୟକାଳର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଥିଲା ଅପରେସନ ସିନ୍ଦୂର। ଏହି ଅଭିଯାନରେ ବାୟୁସେନାର ଯୁଦ୍ଧ କ୍ଷମତା, ସଠିକ୍ ରଣନୀତି ଏବଂ ଦୃଢ଼ ସଂକଳ୍ପର ପରିଚୟ ମିଳିଥିଲା ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି।
କେବଳ ସାମରିକ ନେତୃତ୍ୱ ନୁହେଁ, ବାୟୁସେନାର ଯବାନ ଓ ଅଧିକାରୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଯୁବ ଅଧିକାରୀ ଓ କ୍ୟାଡେଟ୍ମାନଙ୍କୁ ପ୍ରେରଣା ଦେବା ସହ ପେସାଦାରିତା, ଦାୟିତ୍ୱବୋଧ ଏବଂ ଦେଶସେବା ପ୍ରତି ତ୍ୟାଗକୁ ସେ ସର୍ବଦା ଗୁରୁତ୍ୱ ଦେଇଥିଲେ।
ଏହାସହ ବାୟୁସେନାକୁ ଅଧିକ ଆଧୁନିକ ଓ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ କରିବା, ସ୍ୱଦେଶୀ ଉପକରଣର ବ୍ୟବହାର ଏବଂ ନୂଆ ପ୍ରଯୁକ୍ତିର ସମନ୍ୱୟ ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଅନ୍ୟପଟେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏ.ପି. ସିଂହଙ୍କୁ ବିଦାୟ ଜଣାଇଛନ୍ତି। ତାଙ୍କର ଉତ୍ସର୍ଗୀକୃତ ସେବା, ନେତୃତ୍ୱ ଏବଂ ଦେଶ ପାଇଁ ଅବଦାନକୁ ଉଭୟ ପ୍ରଶଂସା କରିଛନ୍ତି। ଅପରେସନ ସିନ୍ଦୂରର ସଫଳତାରେ ତାଙ୍କ ଭୂମିକାକୁ ମଧ୍ୟ ରାଜନାଥ ସିଂହ ସ୍ୱୀକାର କରିଛନ୍ତି।