ପୁଣି ଅଶାନ୍ତ ହର୍ମୁଜ୍ ପ୍ରଣାଳୀ। ତୈଳ ଟ୍ୟାଙ୍କର ଉପରେ ବିସ୍ଫୋରଣ ଯୋଗୁଁ ଜାହାଜରେ ଲାଗିଲା ନିଆଁ। ତେବେ ଏହି ଜାହାଜରେ ଥିବା ୨୭ ଜଣ ଭାରତୀୟ ନାବିକ ସୁରକ୍ଷିତ ଥିବା ଜଣାପଡ଼ିଛି। ପାନାମା ପତାକା ଲାଗିଥିବା ତୈଳ ଟ୍ୟାଙ୍କର 'ଲୁଇସ୍-୧' (Louise 1) ଉପରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି।
କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଅକ୍ଟୋବର ୩୦ ତାରିଖରେ ଏନେଇ ସୂଚନା ଦେଇଛନ୍ତି। ଜାହାଜରେ ଥିବା ସମସ୍ତ ୨୭ ଜଣ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି। ସରକାର ଜାହାଜ ପରିଚାଳନା ସଂସ୍ଥା ସହ ଯୋଗାଯୋଗରେ ରହିବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି।
ସୂଚନା ଅନୁସାରେ, ଏକ ଛୋଟ ଡଙ୍ଗା ଟ୍ୟାଙ୍କର ନିକଟକୁ ଆସି ଏହାର ଶରୀରରେ ଦୁଇଟି ବିସ୍ଫୋରକ ଉପକରଣ ଲଗାଇଥିଲା। ଏହା ପରେ ହୋଇଥିବା ବିସ୍ଫୋରଣରେ ଜାହାଜର ଇଞ୍ଜିନ୍ ରୁମ୍ରେ ନିଆଁ ଲାଗିଯାଇଥିଲା। ତେବେ ଜାହାଜର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ପରେ ଟ୍ୟାଙ୍କରଟି ପୁଣି ନିଜ ଯାତ୍ରା ଆରମ୍ଭ କରିଥିଲା।
ବ୍ରିଟେନର ୟୁକେ ମାରିଟାଇମ୍ ଟ୍ରେଡ୍ ଅପରେସନ୍ସ (UKMTO) ଅନୁସାରେ, ଓମାନର ଖାସାବଠାରୁ ପ୍ରାୟ ୨୫ ନଟିକାଲ୍ ମାଇଲ୍ ଉତ୍ତର-ପୂର୍ବରେ ଏହି ଘଟଣା ଘଟିଥିଲା। ଏଥିରେ କୌଣସି ପରିବେଶଗତ କ୍ଷତି ହୋଇନଥିବା ମଧ୍ୟ ରିପୋର୍ଟ ହୋଇଛି।
ଅନ୍ୟପଟେ ଅକ୍ଟୋବର ୨୯ରେ ଲାଇବେରିଆ ପତାକା ଲାଗିଥିବା 'ଆର୍ଜାନା' (Arzanah) ନାମକ ଆଉ ଏକ ତୈଳ ଟ୍ୟାଙ୍କର ଉପରେ ମଧ୍ୟ ପ୍ରୋଜେକ୍ଟାଇଲ୍ ଆକ୍ରମଣ ହୋଇଥିଲା। ସେଥିରେ ଥିବା ୨ ଜଣ ଭାରତୀୟ ମଧ୍ୟ ସୁରକ୍ଷିତ ଅଛନ୍ତି। ଏହିପରି ଦୁଇଟି ଜାହାଜରେ ଥିବା ମୋଟ୍ ୨୯ ଜଣ ଭାରତୀୟ ନାବିକ ସୁରକ୍ଷିତ ଥିବା ସରକାର ସ୍ପଷ୍ଟ କରିଛନ୍ତି।
ହର୍ମୁଜ୍ ପ୍ରଣାଳୀ ବିଶ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ। ଏହି ରାସ୍ତା ଦେଇ ବିଶ୍ୱର ବହୁ ପରିମାଣର ଅଶୋଧିତ ତୈଳ ଓ ଗ୍ୟାସ୍ ପରିବହନ ହୋଇଥାଏ। ତେଣୁ ଏଠାରେ ବାରମ୍ବାର ଆକ୍ରମଣ ଘଟଣା ବିଶ୍ୱ ବାଣିଜ୍ୟ ଓ ସାମୁଦ୍ରିକ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି।