ତାମିଲନାଡୁରେ କ୍ଷମତା ପରିବର୍ତ୍ତନ ପରେ ଆକ୍ସନ ମୋଡ୍ରେ ନୂଆ TVK ସରକାର। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଏବେ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ନେଇଛନ୍ତି ବଡ଼ ନିଷ୍ପତ୍ତି। ସରକାରୀ ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ସୀମାକୁ ୫ ବର୍ଷ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ସେ। ଏହି ନିୟମ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଲାଗୁ ରହିବ।
ସରକାରଙ୍କ ପକ୍ଷରୁ ଜାରି ଅଧିକାରିକ ବିବୃତ୍ତି ଅନୁସାରେ, ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିବା ଚାକିରି ଆଶାୟୀଙ୍କ ଦାବିକୁ ବିଚାର କରି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଲାଗୁ ଥିବା ବୟସ ସୀମା ସହ ଅତିରିକ୍ତ ୫ ବର୍ଷର ରିହାତି ମିଳିବ।
ଏହାଦ୍ୱାରା ଗ୍ରୁପ୍-୧ ଚାକିରି ପାଇଁ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ବୟସ ସୀମା ୩୨ରୁ ୩୭ ବର୍ଷ ହେବ। ସେହିପରି ସଂରକ୍ଷିତ ବର୍ଗ ପାଇଁ ୩୭ରୁ ୪୨ ବର୍ଷକୁ ବୃଦ୍ଧି ପାଇବ। ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ କ୍ଷେତ୍ରରେ ସାଧାରଣ ବର୍ଗର ବୟସ ସୀମା ୪୨ରୁ ୪୭ ବର୍ଷ ଏବଂ ସଂରକ୍ଷିତ ବର୍ଗ ପାଇଁ ୪୭ରୁ ୫୨ ବର୍ଷ ହେବ।
ସେହିପରି ଗ୍ରୁପ୍-୨ ଓ ଗ୍ରୁପ୍-୨ଏ ସେବା ପାଇଁ ସାଧାରଣ ବର୍ଗର ବୟସ ସୀମା ୩୦ରୁ ୩୫ ବର୍ଷ ଏବଂ ଦିବ୍ୟାଙ୍ଗ ସାଧାରଣ ବର୍ଗଙ୍କ ପାଇଁ ୪୦ରୁ ୪୫ ବର୍ଷକୁ ବୃଦ୍ଧି କରାଯିବ। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ବୟସ ସୀମା ଅତିକ୍ରମ କରିଥିବା ଅନେକ ଆଶାୟୀଙ୍କୁ ପୁଣିଥରେ ସରକାରୀ ଚାକିରି ପାଇଁ ସୁଯୋଗ ମିଳିବ।