ଚେନ୍ନାଇ: କକ୍ରୋଚ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସୌରଭ ଦାସଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଶୁକ୍ରବାର ମାଡ୍ରାସ ହାଇକୋର୍ଟ ଏକ ଆବେଦନର ଶୁଣାଣି କରି ସୌରଭଙ୍କ ପରିଚୟ ଓ ଜନ୍ମ ପୃଷ୍ଠଭୂମି ଯାଞ୍ଚ କରିବାକୁ ନୋଟିସ୍ ଜାରି କରିଛନ୍ତି ।
ସୌରଭ ଦାସଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଦେଶର ନ୍ୟାୟିକ ବ୍ୟବସ୍ଥା ଏବଂ ସର୍ବୋଚ୍ଚ ଅଦାଲତଙ୍କ ଉପରେ ଅନେକ ବିବାଦୀୟ ପୋଷ୍ଟ କରାଯାଇଛି । ଯାହାକୁ କେନ୍ଦ୍ର କରି ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ କରାଯାଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍.ଏ. ଧର୍ମାଧିକାରୀ ଏବଂ ବିଚାରପତି ଜୀ. ଅରୁଲ ମୁରୁଗନଙ୍କ ଦୁଇ ଜଣିଆ ଖଣ୍ଡପୀଠ ଆବେଦନର ଶୁଣାଣି କରିଛନ୍ତି । ହାଇକୋର୍ଟ ସୌରଭଙ୍କ ପରିଚୟ ଯାଞ୍ଚ କରିବାକୁ ନୋଟିସ୍ ଜାରି କରିଛନ୍ତି । ଚେନ୍ନାଇ ପାସପୋର୍ଟ ଅଧିକାରୀ, ୟୁଆଇଡିଏଆଇ ଅଧ୍ୟକ୍ଷ, କେନ୍ଦ୍ର ଗୃହ ମନ୍ତ୍ରାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ, ଆଇନ ମନ୍ତ୍ରାଳୟ, ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ, ଏକ୍ସ ଏବଂ ଇନଷ୍ଟାଗ୍ରାମକୁ ନୋଟିସ୍ ଜାରି ହୋଇଛି । ଆସନ୍ତା 6 ସପ୍ତାହ ମଧ୍ୟରେ ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ ରହିଛି । ସେପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରହିବ ।
କାଞ୍ଚିପୁରମ ଜିଲ୍ଲାର ଗଣେଶ କୁମାର ସୌରଭ ଦାସଙ୍କ ପରିଚୟ ଏବଂ ପୃଷ୍ଠଭୂମି ଯାଞ୍ଚ କରିବାକୁ ଆବେଦନ କରିଥିଲେ । ସୌରଭଙ୍କ ପାସପୋର୍ଟ ଓ ଆଧାରକାର୍ଡ ରଦ୍ଦ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।