ଆସାମ ଏବଂ ପଶ୍ଚିମବଙ୍ଗର କର୍ତ୍ତୃପକ୍ଷ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଏବଂ ବନ୍ୟା ଜଳର ପ୍ରବାହ ତଥା ନଦୀର ନିମ୍ନଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ସମ୍ଭାବ୍ୟ ବିପଦର ଆକଳନ କରୁଛନ୍ତି।
ଭୁଟାନର ସିନ୍ତାଫୁ ହ୍ରଦ ଫାଟିବା (GLOF) ଖବର ସାମ୍ନାକୁ ଆସିଛି, ଯାହାକି ଭାରତ ଆଡ଼କୁ ବହିଆସୁଥିବା ପାଣିର ପରିମାଣ ହଠାତ୍ ବୃଦ୍ଧି ପାଇବା ନେଇ ଚିନ୍ତା ବଢ଼ାଇ ଦେଇଛି। ଭାରତ ସରକାର ପଶ୍ଚିମବଙ୍ଗ ଏବଂ ଆସାମର କିଛି ଅଞ୍ଚଳ ପାଇଁ ଏକ ସ୍ୱତନ୍ତ୍ର ଆଡଭାଇଜରି ଜାରି କରିଛନ୍ତି। ଏଥିରେ ଚେତାବନୀ ଦିଆଯାଇଛି ଯେ ସଂକୋଷ ନଦୀର ଜଳସ୍ତର ହଠାତ୍ ପ୍ରବଳ ଭାବେ ବୃଦ୍ଧି ପାଇପାରେ। ଆସାମର ଧୁବରୀ ଜିଲ୍ଲା ବ୍ୟତୀତ ଉତ୍ତର ବଙ୍ଗର କିଛି ଅଞ୍ଚଳ– ଯେଉଁଥିରେ ଦର୍ଜିଲିଂ ପାହାଡ଼ ଏବଂ ଆଲିପୁରଦ୍ୱାର ଓ ଜଳପାଇଗୁଡ଼ି ଜିଲ୍ଲା ଅନ୍ତର୍ଭୁକ୍ତ, ସେଠାରେ ମଧ୍ୟ ଆଲର୍ଟ ଜାରି କରାଯାଇଛି।
ଏହି ଘଟଣା ଗୁରୁବାର ସନ୍ଧ୍ୟାରେ ଭୁଟାନର ଗାସା ଜିଲ୍ଲାର ଲୁଙ୍ଗୋ (ଲାୟା ଗେଭୋଗ) ସ୍ଥିତ ବକିଲା ପର୍ବତ ନିକଟରେ ଅବସ୍ଥିତ ସିନ୍ତାଫୁ ହ୍ରଦରେ ଘଟିଛି। ନଦୀକୂଳରେ ରହୁଥିବା ଲୋକଙ୍କୁ ସତର୍କ କରାଇବା ପାଇଁ ସାଇରନ୍ ବଜାଯାଇଥିଲା ଏବଂ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ସିନ୍ତାଫୁ ହ୍ରଦ ହେଉଛି ଭୁଟାନର ସେହି ୧୭ଟି ହ୍ରଦ ମଧ୍ୟରୁ ଗୋଟିଏ, ଯାହାକୁ ସମ୍ଭାବ୍ୟ ବିପଜ୍ଜନକ ଭାବେ ବିବେଚନା କରାଯାଏ।
ନ୍ୟାସନାଲ ସେଣ୍ଟର ଫର ହାଇଡ୍ରୋଲୋଜି ଆଣ୍ଡ ମେଟିଓରୋଲୋଜି (NCHM) ର ଜଣେ ଅଧିକାରୀ କହିଛନ୍ତି ଯେ ତକ୍ତସିମାଖାଙ୍ଗରେ ଜଳସ୍ତର ଉପରେ ନଜର ରଖିବା ପାଇଁ ଏକ ଷ୍ଟେସନ ରହିଛି, କିନ୍ତୁ ପ୍ରାଥମିକ ରିପୋର୍ଟ ମିଳିବା ସମୟରେ ସେଠାରେ କୌଣସି ଆଲର୍ଟ ବାଜି ନଥିଲା। ହ୍ରଦ ଫାଟିବାର ଏହି ଘଟଣାଟି କେତେ ବଡ଼ ଏବଂ ଏହାର ନିମ୍ନଞ୍ଚଳ ଉପରେ କି ପ୍ରଭାବ ପଡ଼ିବ, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ।
ଗ୍ଲେସିୟର ହ୍ରଦ ଫାଟି ଆସୁଥିବା ବନ୍ୟା (GLOF) କ’ଣ?
ଗ୍ଲେସିୟର ବା ହିମବାହର ତରଳିବା ଦ୍ୱାରା ସୃଷ୍ଟି ହୋଇଥିବା ହ୍ରଦରେ ଜମା ହୋଇଥିବା ପାଣି ଯେତେବେଳେ ହଠାତ୍ ବାହାରିଆସେ – ପ୍ରାୟତଃ କୌଣସି ପ୍ରାକୃତିକ ପ୍ରତିବନ୍ଧକ (ବନ୍ଧ) ଭାଙ୍ଗିଯିବା କିମ୍ବା ଦୁର୍ବଳ ହେବା କାରଣରୁ – ତାହାକୁ GLOF କୁହାଯାଏ। ଏହାର ପ୍ରଭାବରେ ପାଣିର ଏକ ପ୍ରଖର ସ୍ରୋତ ପାର୍ବତ୍ୟ ଉପତ୍ୟକା ଦେଇ ପ୍ରବାହିତ ହୋଇଥାଏ, ଯାହା ନାଳନର୍ଦ୍ଦମା ଓ ମଇଳାକୁ ସାଙ୍ଗରେ ବୋହିନେଇ ବସତି, ରାସ୍ତାଘାଟ, ପୋଲ ଏବଂ ଫସଲ ନଷ୍ଟ କରିଥାଏ।
ସିନ୍ତାଫୁ ହ୍ରଦ, ଭୁଟାନର ପୁନାତ୍ସାଙ୍ଗଚୁ ନଦୀ ଅବବାହିକାରେ ଅବସ୍ଥିତ। ଭାରତରେ ପ୍ରବେଶ କରିବା ପରେ ଏହି ନଦୀକୁ ସଂକୋଷ ନଦୀ ନାମରେ ଜଣାଯାଏ। ଏଣୁ, ହ୍ରଦରୁ ହଠାତ୍ ପାଣି ବାହାରିବାର ଏହି ଘଟଣା ନଦୀର ନିମ୍ନଞ୍ଚଳରେ ବାସ କରୁଥିବା ଲୋକଙ୍କ ପାଇଁ ଚନ୍ତାର ବିଷୟ ପାଲଟିଛି।
ଭାରତ ପକ୍ଷରୁ ବନ୍ୟା ନେଇ ସ୍ୱତନ୍ତ୍ର ଆଡଭାଇଜରି ଜାରି
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ ପୁନାତ୍-ସାଙ୍ଗଚୁ ନଦୀର ଉପରମୁଣ୍ଡରେ ଆସିଥିବା ହଠାତ୍ ବନ୍ୟା (ଫ୍ଲାସ୍ ଫ୍ଲଡ୍) କାରଣରୁ ପଶ୍ଚିମବଙ୍ଗର ଆଲିପୁରଦ୍ୱାର ଜିଲ୍ଲା ଏବଂ ଆସାମର ଧୁବରୀ ଜିଲ୍ଲାରେ ଜଳସ୍ତର ହଠାତ୍ ବୃଦ୍ଧି ପାଇପାରେ। କର୍ତ୍ତୃପକ୍ଷ ଦର୍ଜିଲିଂ ପାହାଡ଼, ଆଲିପୁରଦ୍ୱାର ଏବଂ ଜଳପାଇଗୁଡ଼ି ଜିଲ୍ଲା ସମେତ ଉତ୍ତର ବଙ୍ଗର ଅନେକ ଅଞ୍ଚଳରେ ଆଲର୍ଟ ଜାରି କରିଛନ୍ତି। ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲାର ତୁଫାନଗଞ୍ଜ ଏବଂ ବକ୍ସିରହାଟରେ – ଯାହା ଆସାମ ସୀମା ନିକଟରେ ସଂକୋଷ ନଦୀ କୂଳରେ ଅବସ୍ଥିତ – NDRF ଏବଂ SDRF ଟିମଗୁଡ଼ିକୁ ମୁତୟନ କରାଯାଇଛି। ଏଥିସହିତ, ସ୍ଥାନୀୟ ଲୋକଙ୍କୁ ସମ୍ଭାବ୍ୟ ବିପଦ ସମ୍ପର୍କରେ ସତର୍କ କରାଯାଉଛି।
ଆଡଭାଇଜରି ଅନୁଯାୟୀ, ବନ୍ୟାର ପାଣି ୬ ରୁ ୮ ଘଣ୍ଟା ମଧ୍ୟରେ ଭାରତ-ଭୁଟାନ ସୀମାରେ ପହଞ୍ଚିବାର ଆଶଙ୍କା ରହିଛି। ଉଭୟ ଜିଲ୍ଲାର ଅଧିକାରୀମାନଙ୍କୁ କୁହାଯାଇଛି ଯେ ସେମାନେ ସ୍ଥିତି ଉପରେ କଡ଼ା ନଜର ରଖନ୍ତୁ ଏବଂ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ।
ମନ୍ତ୍ରୀଙ୍କର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ନିବେଦନ
ପଶ୍ଚିମବଙ୍ଗର ବନମନ୍ତ୍ରୀ ତଥା କୁମାରଗ୍ରାମର ବିଧାୟକ ମନୋଜ କୁମାର ଓରାଁଓ ଆଲିପୁରଦ୍ୱାର ଜିଲ୍ଲାରେ ସଂକୋଷ ନଦୀ କୂଳରେ ବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଅନୁରୋଧ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଏକ ଭିଡିଓ ବାର୍ତ୍ତାରେ, ଓରାଁଓ ଚେତାବନୀ ଦେଇଛନ୍ତି ଯେ ଆଗାମୀ ୧ ରୁ ୧.୫ ଘଣ୍ଟା ମଧ୍ୟରେ କୁମାରଗ୍ରାମରେ ନଦୀର ଜଳସ୍ତର ପ୍ରବଳ ଭାବେ ବୃଦ୍ଧି ପାଇପାରେ। ସେ ଲୋକଙ୍କୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସେଠାରୁ ହଟିଯିବା ଏବଂ ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି।
ସଂକୋଷ ନଦୀ ଭୁଟାନରୁ ଭାରତରେ ପ୍ରବେଶ କରେ ଏବଂ ଉତ୍ତର ପଶ୍ଚିମବଙ୍ଗ ତଥା ସଂଲଗ୍ନ ଆସାମର ଅନେକ ଅଞ୍ଚଳରେ ରହୁଥିବା ଲୋକଙ୍କ ଜୀବନଧାରାର ମୂଳାଧାର ଅଟେ। ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇବା ଦ୍ୱାରା ନଦୀକୂଳବର୍ତ୍ତୀ ବସତି, ଗୃହପାଳିତ ପଶୁ, ଚାଷଜମି ଏବଂ ଭିତ୍ତିଭୂମି ପାଇଁ ବିପଦ ସୃଷ୍ଟି ହୋଇପାରେ। ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ବନ୍ୟା ଜଳର ପ୍ରବାହ ତଥା ନଦୀର ନିମ୍ନଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ସମ୍ଭାବ୍ୟ ବିପଦର ଆକଳନ କରୁଛନ୍ତି।