ସାରା ଜୀବନ କଷ୍ଟ କରି ଚା’ ଏବଂ ସିଙ୍ଗଡ଼ା ବିକି ପରିବାର ଚଳାଉଥିବା ୬୦ ବର୍ଷୀୟା ସନ୍ତୋଷ ବୋଧହୁଏ କେବେ ଭାବି ନଥିବେ ଯେ ଜମି କ୍ଷତିପୂରଣ ବାବଦରେ ମିଳିଥିବା କୋଟି କୋଟି ଟଙ୍କା ପାଇଁ ତାଙ୍କୁ ବ୍ୟାଙ୍କ ଚକ୍କର କାଟିବାକୁ ପଡ଼ିବ। ଜେୱର ଏୟାରପୋର୍ଟ ପାଇଁ ଅଧିଗ୍ରହଣ କରାଯାଇଥିବା ଜମି ବଦଳରେ ତାଙ୍କ ଆକାଉଣ୍ଟରେ ୧.୨୯ କୋଟି ଟଙ୍କା ଜମା ଥିଲା, କିନ୍ତୁ ଏବେ ୧.୧୮ କୋଟି ଟଙ୍କା ଗାୟବ ହୋଇଯାଇଥିବା ଅଭିଯୋଗ ହୋଇଛି। ଏବେ ପ୍ରଶ୍ନ ଉଠୁଛି ଯେ ବ୍ୟାଙ୍କ ଆକାଉଣ୍ଟରେ ଜମା ଥିବା ଲୋକଙ୍କ ପରିଶ୍ରମ ଓ ଭବିଷ୍ୟତର ପୁଞ୍ଜି ଗଲା କେଉଁଆଡ଼େ?
ଆକାଉଣ୍ଟରେ ମିଳିଲାନି ଟଙ୍କା
ଗ୍ରେଟର ନୋଏଡାର ବିରୋଣ୍ଡା ଗାଁରେ ରହୁଥିବା ସନ୍ତୋଷ ଚା’ ଓ ସିଙ୍ଗଡ଼ା ବିକି ନିଜର ଗୁଜୁରାଣ ମେଣ୍ଟାନ୍ତି। ତାଙ୍କ ଆକାଉଣ୍ଟରେ ଜମି କ୍ଷତିପୂରଣ ବାବଦରେ ମୋଟ ୧.୨୯ କୋଟି ଟଙ୍କା ଜମା ଥିଲା। ପରିବାର ଲୋକଙ୍କର ବିଶ୍ୱାସ ଥିଲା ଯେ ଆବଶ୍ୟକତା ପଡ଼ିଲେ ଏହି ଟଙ୍କା ସେମାନଙ୍କ କାମରେ ଆସିବ। ମଙ୍ଗଳବାର ଦିନ ଯେତେବେଳେ ତାଙ୍କ ପୁଅ ଆକାଉଣ୍ଟରୁ କିଛି ଟଙ୍କା ଉଠାଇବାକୁ ପଞ୍ଜାବ ନାସନାଲ ବ୍ୟାଙ୍କ (PNB) ଶାଖାରେ ପହଞ୍ଚିଲା, ସେତେବେଳେ ଜଣାପଡ଼ିଲା ଯେ ଆକାଉଣ୍ଟରେ ଟଙ୍କା ନାହିଁ। ତାଙ୍କ ଆକାଉଣ୍ଟରୁ ପ୍ରାୟ ୧.୧୮ କୋଟି ଟଙ୍କା ଗାୟବ ଅଛି। ଏତେ ବଡ଼ ପରିମାଣର ଟଙ୍କା ଗାୟବ ହେବା ବିଷୟରେ ଜାଣିବା ପରେ ପରିବାର ଲୋକଙ୍କ ପାଦତଳୁ ମାଟି ଖସିଯାଇଥିଲା। ବୃଦ୍ଧଜଣଙ୍କର ଦାବି ଅନୁଯାୟୀ ବ୍ୟାଙ୍କରେ ତାଙ୍କୁ କୁହାଯାଇଥିଲା ଯେ ଆକାଉଣ୍ଟରେ ଏବେ କିଛି ବି ନାହିଁ।
ମାନସିକ ଆଘାତରେ ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା
ଆକାଉଣ୍ଟରୁ ଏତେ ବଡ଼ ପରିମାଣର ଟଙ୍କା ଗାୟବ ହେବା ଖବର ପାଇବା ମାତ୍ରେ ବୃଦ୍ଧଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ବ୍ଲଡ୍ ପ୍ରେସରରେ ଅସ୍ଥିରତା ଦେଖାଦେବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା। ପରିବାର ପାଇଁ ଏହା କେବଳ ଟଙ୍କାର ମାମଲା ନଥିଲା, ବରଂ ଭବିଷ୍ୟତର ଚିନ୍ତା ପାଲଟିଯାଇଥିଲା। ବୁଧବାର ଦିନ ସନ୍ତୋଷ ନିଜ ଭଉଣୀଙ୍କ ସହ ବ୍ୟାଙ୍କ ବାହାରେ ବସି ରହି ନିଜ ଟଙ୍କା ବାବଦରେ ଜବାବ ମାଗିଥିଲେ।
ଅନେକ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ ଅଭିଯୋଗ
ପଞ୍ଜାବ ନାସନାଲ ବ୍ୟାଙ୍କ (PNB) ର ଗ୍ରେଟର ନୋଏଡାସ୍ଥିତ ଏହି ଶାଖାରେ କେବଳ ସନ୍ତୋଷ ନୁହଁନ୍ତି, ବରଂ ଅନ୍ତତଃ ୨୫ ଜଣ ଗ୍ରାହକ ନିଜ ଆକାଉଣ୍ଟ ଏବଂ ଫିକ୍ସଡ୍ ଡିପୋଜିଟ୍ (FD) ରୁ ବଡ଼ ପରିମାଣର ଟଙ୍କା ଗାୟବ ହୋଇଥିବା କିମ୍ବା ବାଲାନ୍ସ କମିଯାଇଥିବା ନେଇ ଅଭିଯୋଗ କରିଛନ୍ତି। ପୁଲିସ୍ ଅନୁଯାୟୀ, ଅଭିଯୋଗ କରିଥିବା ଗ୍ରାହକଙ୍କ ଟଙ୍କାର ପରିମାଣ ଭିନ୍ନ ଭିନ୍ନ ରହିଛି। କେହି ଲକ୍ଷ ଲକ୍ଷ ଟଙ୍କା ଗାୟବ ହୋଇଥିବା କହିଥିବା ବେଳେ କେହି ଆକାଉଣ୍ଟରୁ କୋଟିଏ ଟଙ୍କାରୁ ଅଧିକ ଗାୟବ ହୋଇଥିବା ଦାବି କରିଛନ୍ତି। ବର୍ତ୍ତମାନ କେତେ ଟଙ୍କା ଗାଏବ ହୋଇଛି, ତାହାର ସଠିକ୍ ତଥ୍ୟ ସାମ୍ନାକୁ ଆସିନାହିଁ। ପୁଲିସ୍ ଅଧିକାରୀଙ୍କ କହିବା କଥା ଯେ ଅଭିଯୋଗକାରୀଙ୍କ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ।
ପୁଲିସ୍ ଅନୁଯାୟୀ, କେତେକ ଗ୍ରାହକଙ୍କୁ ବ୍ୟାଙ୍କ ପକ୍ଷରୁ ମେସେଜ୍ ଏବଂ ଫୋନ୍ କଲ୍ ଆସିଥିଲା। ସେମାନଙ୍କୁ କୁହାଯାଇଥିଲା ଯେ ଯଦି ସେମାନେ ୧ ଲକ୍ଷ ଟଙ୍କାରୁ ଅଧିକ ଉଠାଇବାକୁ ଚାହୁଁଛନ୍ତି, ତେବେ ୪ ରୁ ୫ ଦିନ ପୂର୍ବରୁ ଶାଖାକୁ ଜଣାନ୍ତୁ। ଜଣେ ଗ୍ରାହକଙ୍କୁ ଏହି କଥା ଅଜବ ଲାଗିବାରୁ ସେ ଆକାଉଣ୍ଟ ଯାଞ୍ଚ କରିଥିଲେ ଏବଂ ଗଡ଼ବଡ଼ି ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ଅନ୍ୟ ଗ୍ରାହକମାନେ ମଧ୍ୟ ନିଜ ଆକାଉଣ୍ଟ ଯାଞ୍ଚ କରିବା ଆରମ୍ଭ କରିଥିଲେ।
ବ୍ୟାଙ୍କ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ
ଗ୍ରେଟର ନୋଏଡାର ସହକାରୀ ପୁଲିସ୍ ଆୟୁକ୍ତ ସଞ୍ଚିତ ଶର୍ମା ଜଣାଇଛନ୍ତି ଯେ ଗ୍ରାହକଙ୍କ ଅଭିଯୋଗର ତଦନ୍ତ କରାଯାଉଛି। ଅନ୍ୟପଟେ, ବ୍ୟାଙ୍କର ଚିଫ୍ ମ୍ୟାନେଜର ରାକେଶ ନିଗମ ଏହାକୁ ଏକ ବଡ଼ ସ୍କାମ୍/ଠକେଇ ବୋଲି କହିବା ସହ ଦୋଷୀମାନଙ୍କୁ ଜେଲ୍ ପଠାଯିବ ବୋଲି କହିଛନ୍ତି। ବ୍ୟାଙ୍କ ପ୍ରବନ୍ଧକଙ୍କ ଅନୁଯାୟୀ, ସମସ୍ତ କର୍ମଚାରୀଙ୍କୁ ବଦଳି କରିଦିଆଯାଇଛି ଏବଂ ଗ୍ରାହକମାନଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ଟଙ୍କା ଫେରସ୍ତ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି।