ଅନନ୍ତପୁର: ଆନ୍ଧ୍ର ପ୍ରଦେଶ ଅନନ୍ତପୁର ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଯାଇଛି । ଏକତରଫା ପ୍ରେମରେ ବିଫଳ ହେବାରୁ ଜଣେ ଯୁବକ ନାବାଳିକା ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛି । ଏଥିରେ ଦୁଇ ଜଣ ଛାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ସଙ୍ଗୀନ ରହିଛି । ପୋଲିସ ଅଭିଯୁକ୍ତ ହେମନ୍ତ ଓରଫ୍ ଡୁମ୍ମୁ (୨୨)କୁ ରେଳ ଷ୍ଟେସନରୁ ଗିରଫ କରିଛି । ଖୋଦ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶ୍ରୀ ସତ୍ୟସାଇ ଜିଲ୍ଲା ଧର୍ମବରମ୍ ମଣ୍ଡଳ ନାଗାଲୁର ବାସିନ୍ଦା ହେମନ୍ତ ଆଜି ସକାଳ ପ୍ରାୟ ୧୦.୩୦ ସମୟରେ ଅନନ୍ତପୁର ଜିଲ୍ଲା ରାପତାଡ଼ୁ ଗ୍ରାମର ଜିଲ୍ଲା ପରିଷଦ ହାଇସ୍କୁଲରେ ଅଚାନକ ଏକ କାଠ କଟା ଆରି ଧରି ପ୍ରବେଶ କରିଥିଲା । ଦଶମ ଶ୍ରେଣୀ ପିଲାଙ୍କୁ ଶିକ୍ଷକ ପଢ଼ାଉଥିବାବେଳେ ହଠାତ ଜଣେ ଛାତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ତାକୁ ବଞ୍ଚାଇବାକୁ ପାଖରେ ଥିବା ଛାତ୍ରୀ ଜଣକ ଆକ୍ରମଣର ଶିକାର ହୋଇଥିଲା । ଏହା ପରେ ତୁରନ୍ତ ଫେରାର ହୋଇଯାଇଥିଲା ।
ଶିକ୍ଷକ ତୁରନ୍ତ ଉଭୟ ଛାତ୍ରୀଙ୍କୁ ଅନନ୍ତପୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଜଣେ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ବେଙ୍ଗାଲୁରୁ ଏକ ହସ୍ପିଟାଲକୁ ଏୟାର ଆମ୍ବୁଲାନ୍ସ ଜରିଆରେ ସ୍ଥାନାନ୍ତର କରାଯାଇଛି । ଛାତ୍ରୀଙ୍କ ଏକ ଅସ୍ତ୍ରୋପଚାର ଜରୁରୀ ବୋଲି ଜଣାପଡ଼ିଛି ।
ସେପଟେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚିଥିଲା । ତୁରନ୍ତ ଫେରାର ଅଭିଯୁକ୍ତକୁ ଧରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା । ଧର୍ମାବରମ ରେଳ ଷ୍ଟେସନରୁ ତାକୁ ଗିରଫ କରାଯାଇଛି । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି । ସେ ଛାତ୍ରୀଙ୍କ ଦୂର ସମ୍ପର୍କୀୟ ବୋଲି ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଘଟଣା ସମ୍ପର୍କରେ ଅବଗତ ହେବା ପରେ କ୍ଷୋଭ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ 'ଏକ୍ସ' ରେ ଲେଖିଛନ୍ତି, ସମାଜରେ ଏଭଳି ଅପରାଧୀଙ୍କ ପାଇଁ କୌଣସି ସ୍ଥାନ ନାହିଁ, ଯେଉଁମାନେ ବିଦ୍ୟାଳୟ ପରିସର ମଧ୍ୟରେ ଝିଅମାନଙ୍କୁ ଟାର୍ଗେଟ କରନ୍ତି। ସେ ବ୍ୟକ୍ତିଗତଭାବେ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛନ୍ତି । ସର୍ବୋଚ୍ଚ ପ୍ରାଥମିକତା ଦେଇ ଚିକିତ୍ସା ଯୋଗାଇବାକୁ ଡାକ୍ତରୀ ଟିମକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ପାଇଁ ଦାୟୀ ଥିବା ସେହି ନୀଚ ବ୍ୟକ୍ତିକୁ ଖୋଜି ବାହାର କରିବାକୁ ଏବଂ ତାକୁ ଯଥାଶୀଘ୍ର କଠୋରତମ ଆଇନଗତ ଦଣ୍ଡ ଦେବା ସୁନିଶ୍ଚିତ କରିବାକୁ ପୋଲିସକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନାଇଡ଼ୁ ନିର୍ଦ୍ଦେଶ ଦେଇଛନ୍ତି ।