ଦିଲ୍ଲୀ: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ଅଡୁଆ ବଢ଼ିଲା। ୮ ବର୍ଷ ପୁରୁଣା ଅପରାଧିକ ମାନହାନି ମାମଲାରେ ତାଙ୍କ ବିରୋଧରେ ପୁଣି ଜାମିନଯୋଗ୍ୟ ଗିରଫ ପରୱାନା (Bailable Warrant) ଜାରି କରିଛନ୍ତି ଦିଲ୍ଲୀର ସାକେତ କୋର୍ଟ। ଅଭିଯୋଗକାରୀ ବିକାଶ ପାଣ୍ଡେଙ୍କ ପକ୍ଷରୁ ଦାୟର ଏହି ମାମଲାରେ ଶନିବାର କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥର ଗୁରୁଗ୍ରାମ ସ୍ଥିତ ତାଙ୍କ ଠିକଣାକୁ ପରୱାନା ପଠାଯିବ।
ସୂଚନା ଅନୁସାରେ, ଧ୍ରୁବଙ୍କୁ ହାଜର କରିବା ପାଇଁ ଅକ୍ଟୋବର ୧୭ରେ ମଧ୍ୟ କୋର୍ଟ ଜାମିନଯୋଗ୍ୟ ପରୱାନା ଜାରି କରିଥିଲେ। ତେବେ ତାଙ୍କ ଅଷ୍ଟ୍ରିଆ ଠିକଣା ଭୁଲ୍ ଥିବାରୁ ଏହା ସାମିଲ ହୋଇପାରିନଥିଲା। ଏହା ପୂର୍ବରୁ ଜାରି ହୋଇଥିବା ସମନ୍ ମଧ୍ୟ ତାଙ୍କ ଘର ବନ୍ଦ ଥିବାରୁ ପହଞ୍ଚି ପାରିନଥିଲା। ଶନିବାର କୋର୍ଟଙ୍କୁ ଧ୍ରୁବ ରାଠୀ ଭାରତ ଛାଡ଼ି ସାରିଥିବା ସୂଚନା ଦିଆଯାଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୩ରେ ହେବ।
କେଉଁ ଭିଡିଓକୁ ନେଇ ମାମଲା?
‘BJP IT Cell Part 2’ ଶୀର୍ଷକ ଏକ ଭିଡିଓକୁ ନେଇ ଏହି ମାନହାନି ମାମଲା ଦାୟର ହୋଇଥିଲା। ଅଭିଯୋଗ ଅନୁସାରେ, ଏହି ଭିଡିଓରେ ବିକାଶ ପାଣ୍ଡେଙ୍କ ସମ୍ମାନହାନି କରାଯାଇଥିଲା। ସେ ‘I Support Narendra Modi’ ନାମକ ସୋସିଆଲ ମିଡିଆ ପେଜ୍ର ପ୍ରତିଷ୍ଠାତା।
୨୦୧୮ରେ ଆମ୍ ଆଦମୀ ପାର୍ଟି (AAP)ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହି ଭିଡିଓକୁ ରିଟ୍ୱିଟ୍ କରିଥିଲେ। ପରେ ୨୦୨୪ ଫେବ୍ରୁଆରୀରେ ସୁପ୍ରିମକୋର୍ଟରେ ସେ ଏହାକୁ ରିଟ୍ୱିଟ୍ କରିବା ନିଜର ଭୁଲ୍ ଥିଲା ବୋଲି ସ୍ୱୀକାର କରିଥିଲେ।
ଏହି ମାମଲାରେ ୨୦୧୯ରୁ ଧ୍ରୁବଙ୍କୁ ସମନ୍ ପହଞ୍ଚାଇବାରେ ବାରମ୍ବାର ସମସ୍ୟା ହେଉଥିବାରୁ ଶୁଣାଣି ଆଗକୁ ବଢ଼ିପାରିନଥିଲା। ଏବେ ପୁଣି ଥରେ ପରୱାନା ଜାରି ହେବା ପରେ ମାମଲା କେଉଁ ମୋଡ଼ ନେଉଛି, ତାହା ଉପରେ ନଜର ରହିଛି।