ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟ ପକ୍ଷରୁ ଆୟୋଜିତ ଏକ ପ୍ରତୀକାତ୍ମକ ସାର୍ବଜନୀନ ମହାଭିଯୋଗ କାର୍ଯ୍ୟକ୍ରମରେ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ କଡ଼ା ଆକ୍ରମଣ କରିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ, ଦେଶରେ ୧୩.୩ କୋଟି ଭୋଟ୍ କାଟି ଦିଆଯାଇଛି, ଯାହାକି ପ୍ରତି ସାତ ଜଣରେ ଜଣେ ଭାରତୀୟଙ୍କ ଭୋଟ୍ ବାତିଲ ହେବା ସହ ସମାନ।
ଆମେ ଛାଡ଼ିବୁ ନାହିଁ
କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷି ରାହୁଲ ଗାନ୍ଧୀ କହିଛନ୍ତି ଯେ, ସେମାନେ କେବଳ ମୋଦୀ ଓ ଶାହଙ୍କୁ ନୁହେଁ ବରଂ ଏହି ସବୁ ଅନିୟମିତତାର ମୁଖ୍ୟ କେନ୍ଦ୍ରକୁ ମଧ୍ୟ ଛାଡ଼ିବେ ନାହିଁ। ତାଙ୍କ ଭାଷାରେ, "ଜ୍ଞାନେଶ କୁମାର କେବଳ ଏହି ପ୍ରକ୍ରିୟାର ଗୋଟିଏ ଅଂଶ, କିନ୍ତୁ ଆମେ ଜାଣୁ ପଛରେ କିଏ ଅଛନ୍ତି। ଆମେ କାହାକୁ ବି ଛାଡ଼ିବୁ ନାହିଁ।"
ଅବୈଧ ନିର୍ବାଚନ
ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ନିଜସ୍ୱ ତଥ୍ୟ ଏବଂ ପରିସ୍ଥିତି ସୂଚାଉଛି ଯେ ୨୦୨୪ ଲୋକସଭା ନିର୍ବାଚନ ଏକ ସ୍ୱଚ୍ଛ ପ୍ରକ୍ରିୟା ନଥିଲା। ବିଜେପିର ବହୁ ନେତା ମଧ୍ୟ ଏହି ଭୁଲ୍ ଏବଂ ଅବୈଧ ପଦ୍ଧତି ଜରିଆରେ ସଂସଦରେ ପହଞ୍ଚିଛନ୍ତି ବୋଲି ସେ ଦାବି କରିଛନ୍ତି।
ବିରୋଧୀ ଦଳଗୁଡ଼ିକ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ଭୂମିକା ଏବଂ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ କ୍ରମାଗତ ଭାବେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ, ଏହି ପ୍ରତୀକାତ୍ମକ ମହାଭିଯୋଗ କାର୍ଯ୍ୟକ୍ରମ ରାଜନୈତିକ ପାଣିପାଗକୁ ଆହୁରି ସରଗରମ କରିଛି।
Also Read: ସର୍ଦ୍ଦାର ପଟେଲଙ୍କ ଭୋଟ୍ ଚୋରି କରି ପ୍ରଧାନମନ୍ତ୍ରୀ ହୋଇଥିଲେ ନେହେରୁ: ବିଜେପି