ଭୁବନେଶ୍ୱର: ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଦିଗରେ ଏକ ଅବପାତ ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି। ଏହି ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ବରିଷ୍ଠ ସଚିବମାନଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି।
IMDର ପୂର୍ବାନୁମାନ ଅନୁଯାୟୀ, ସୃଷ୍ଟି ହୋଇଥିବା ଅବପାତଟି ଆଗକୁ ଏକ ଗଭୀର ଅବପାତରେ ପରିଣତ ହୋଇ ଆନ୍ଧ୍ରପ୍ରଦେଶ ମୁହାଁ ହେବାର ସମ୍ଭାବନା ରହିଛି। ଏହାର ସୀଧାସଳଖ ପ୍ରଭାବ ଓଡ଼ିଶାର ଦକ୍ଷିଣାଞ୍ଚଳ ଉପରେ ପଡ଼ିବ। ଏହି ସମ୍ଭାବ୍ୟ ବାତ୍ୟାଟି ପୂର୍ବରୁ ଆସିଥିବା 'ଅର୍ଣ୍ଣବ'ର ପ୍ରଭାବିତ ଅଞ୍ଚଳ ତଳକୁ ହିଟ୍ କରିପାରେ ବୋଲି ଆକଳନ କରାଯାଇଛି। ସେହି ଅନୁଯାୟୀ ପ୍ରଶାସନ ପୂର୍ବ ଅଭିଜ୍ଞତାକୁ ଆଧାର କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛି।
ଏଥର ଆସୁଥିବା ବାତ୍ୟାରେ ଅଧିକ ଭୂସ୍ଖଳନ ହେବାର ଆଶଙ୍କା କରାଯାଉଛି। ପୂର୍ବରୁ ଗଜପତି ଜିଲ୍ଲାରେ ୧୩ଟି ସ୍ଥାନରେ ଏବଂ କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ବଡ଼ ଧରଣର କ୍ଷତି ଘଟିଥିଲା। ଏହାକୁ ଦୃଷ୍ଟିରେ ରଖି ପାହାଡ଼ ତଳେ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଆସନ୍ତାକାଲିଠାରୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ।
ବିପଦସଙ୍କୁଳ ଅବସ୍ଥାରେ ରହୁଥିବା ଜନସାଧାରଣଙ୍କୁ ନିଜ ଘର ଛାଡ଼ି ନିରାପଦ ସ୍ଥାନକୁ ଚାଲିଆସିବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଲୋକମାନେ ଘର ଛାଡ଼ିଗଲେ ସେମାନଙ୍କ ଘର ଓ ସମ୍ପତ୍ତିର ସୁରକ୍ଷା ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ପୋଲିସ ପ୍ରଶାସନ ବହନ କରିବ ବୋଲି ସ୍ପଷ୍ଟ କରାଯାଇଛି।
ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଜୀବନ ସବୁଠାରୁ ଅଧିକ ମୂଲ୍ୟବାନ୍। ଘରଦ୍ୱାର ଓ ସମ୍ପତ୍ତି ନଷ୍ଟ ହେଲେ ତାର କ୍ଷତିପୂରଣ ଦେବା ପାଇଁ ଓଡ଼ିଶା ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପାଣ୍ଠି ରହିଛି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର କ୍ଷତିପୂରଣ ପ୍ୟାକେଜ୍ ଘୋଷଣା କରିବେ।
ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ କିଛି ସ୍ଥାନରେ ଜାତୀୟ ରାଜପଥ (NH) କ୍ଷତିଗ୍ରସ୍ତ ହୋଇଥିବାରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ (NHAI)ର ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଆରମ୍ଭ କରିଛନ୍ତି। ଅନ୍ୟପଟେ ଅନେକ ବରିଷ୍ଠ ଅଧିକାରୀ ଗଞ୍ଜାମ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଋଷିକୁଲ୍ୟା ନଦୀର ମୁହାଣଗୁଡ଼ିକୁ ତୁରନ୍ତ ରିପେୟାର କରାଯାଉଛି ଏବଂ ଭବିଷ୍ୟତରେ ଏହାର ପ୍ରକୋପ କମାଇବା ପାଇଁ ସରକାର ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରୁଛନ୍ତି।