କୋରାପୁଟ : ଆନ୍ଧ୍ରର ମନମାନିକୁ ନେଇ ଚେତିଲେଣି କୋଟିଆ ବାସୀ। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ବିବାଦୀୟ କୋଟିଆ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ କରାଯାଉଥିବା ନିର୍ବାଚନୀ ପ୍ରକ୍ରିୟାକୁ ସ୍ଥାନୀୟ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଆନ୍ଧ୍ର ପକ୍ଷରୁ ସେଠାରେ ହେବାକୁ ଥିବା ପଞ୍ଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନ (MPTC & ZPTC) ପାଇଁ ଲଗାଯାଇଥିବା ସମସ୍ତ ନିର୍ବାଚନୀ ପୋଷ୍ଟର ଓ ବ୍ୟାନରକୁ କୋଟିଆବାସୀ ନିଜେ ଚିରି ହଟାଇ ଦେଇଛନ୍ତି।
ଓଡ଼ିଶା ସୀମା ଭିତରେ ଆନ୍ଧ୍ରର ନିର୍ବାଚନୀ ପ୍ରଚାରକୁ କୋଟିଆବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ପ୍ରଚାର ଗାଡ଼ିକୁ ଅଟକାଇବା ସହ ନିର୍ବାଚନକୁ ସେମାନେ ଜୋରଦାର ବିରୋଧ କରିଛନ୍ତି। ସୀମାନ୍ତରେ ଉତ୍ତେଜନା ପ୍ରକାଶ ପାଇବା ପରେ, କୋରାପୁଟ ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ କୋଟିଆ ଅଞ୍ଚଳରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି।
କୋଟିଆର ଗଞ୍ଜେଇପଦର, ଫଗୁନାସିନେରୀ ଏବଂ ଫାଟୁସିନେରୀ ଭଳି ଗ୍ରାମଗୁଡ଼ିକୁ ଆନ୍ଧ୍ର ସରକାର ନିଜର ନିର୍ବାଚନ ପ୍ରକ୍ରିୟାରେ ସାମିଲ କରି ନଭେମ୍ବର ମାସରେ ମତଦାନ କରିବାକୁ ପ୍ରସ୍ତୁତି ଚଳାଇଛି, ଯାହାକୁ ନେଇ ଓଡ଼ିଶାରେ ସର୍ବଦଳୀୟ ସ୍ତରରେ ବିରୋଧ କରାଯାଉଛି।