ବାତ୍ୟା ଅର୍ଣ୍ଣବର ବର୍ଷା ଆଣିଦେଲା ଅକାଳ ମୃତ୍ୟୁ। ରାତିରେ ଘରେ ଶୋଇଥିବା ବେଳେ ମାଡ଼ି ଆସିଲା ପାହାଡ଼ର ମାଟି। ଆଖି ପିଛୁଳାକେ ମାଟି ତଳେ ପୋତି ହୋଇଗଲା ପୂରା ପରିବାର। ଏହି ଛାତିଥରା ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ଡାଙ୍ଗେଶୀ ଗାଁରେ।
ମୃତକମାନେ ହେଲେ ଅଚ୍ୟୁତ ପ୍ରଧାନ, ତାଙ୍କ ପତ୍ନୀ ଅନିଶା ପ୍ରଧାନ ଏବଂ ମାତ୍ର ୯ ମାସର ଶିଶୁପୁତ୍ର। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଲଗାଣ ବର୍ଷା ଯୋଗୁଁ ନିକଟସ୍ଥ ପାହାଡ଼ର ଏକ ବଡ଼ ଅଂଶ ମାଟି ଓ ପଥର ସହ ଧସି ଆସିଥିଲା। ଫଳରେ ପରିବାର ଶୋଇଥିବା ଘରଟି ସମ୍ପୂର୍ଣ୍ଣ ମାଟି ତଳେ ପୋତି ହୋଇଯାଇଥିଲା।
ଏହି ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ ଚାଲିଯାଇଛି। କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରାଥମିକ ତଦନ୍ତ ପରେ ଏହି ମୃତ୍ୟୁ ଘଟଣାକୁ ନିଶ୍ଚିତ କରିଛନ୍ତି। ତେବେ ଗାଁର ଆହୁରି କିଛି ଲୋକ ନିଖୋଜ ଥିବା ସୂଚନା ମିଳିଛି। ଫଳରେ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି।
ଖବର ପାଇ ଜିଲ୍ଲା ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମାଟି ଅତଡ଼ା ହଟାଇବା ସହ ନିଖୋଜଙ୍କୁ ଖୋଜିବା ଜାରି ରଖିଛନ୍ତି। ଲଗାଣ ବର୍ଷା ଓ ରାସ୍ତା ଅବରୋଧ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜୁଛି।
ଏହି ହୃଦୟବିଦାରକ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।