ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର। ଆଉ କିଛି ସମୟର ଅପେକ୍ଷା, ବ୍ୟାଙ୍କ ଖାତାକୁ ଆସିବ ପିଏମ୍ କିଷାନ ଯୋଜନାର ୨୪ତମ କିସ୍ତି ଟଙ୍କା। ଦେଶର ୯ କୋଟି ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ୧୮ ହଜାର ୬୯୦ କୋଟି ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ଗୁଜରାଟର ବନସକଣ୍ଟାରେ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ।
ଏପଟେ ଓଡ଼ିଶାର ଚାଷୀଙ୍କ ପାଇଁ ମଧ୍ୟ ଆସିଛି ବଡ଼ ଖବର। ରାଜ୍ୟର ୩୫ ଲକ୍ଷ ୩୯ ହଜାର ୨୯୭ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର ହେବ ୭୦୭ କୋଟି ୮୫ ଲକ୍ଷ ୯୪ ହଜାର ଟଙ୍କା। ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରାଜ୍ୟସ୍ତରୀୟ ସମାରୋହର ଆୟୋଜନ କରାଯାଇଛି।
ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମାରୋହ
ଭୁବନେଶ୍ୱରସ୍ଥିତ ଓୟୁଏଟିର କୃଷି ଶିକ୍ଷା ସଦନଠାରେ ଆୟୋଜିତ ହେଉଛି ଏହି କାର୍ଯ୍ୟକ୍ରମ। ସକାଳ ୯ଟାରୁ ଆରମ୍ଭ ହୋଇଥିବା ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସାମିଲ ହୋଇଛନ୍ତି। ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଏହି ଅର୍ଥରାଶି ଚାଷ କାର୍ଯ୍ୟରେ ସହାୟକ ହେବ।
୫୨୧ଟି କୃଷି ୟୁନିଟ୍ର ହେବ ଲୋକାର୍ପଣ
କେବଳ ଚାଷୀଙ୍କ ଖାତାକୁ ଟଙ୍କା ପଠାଇବା ନୁହେଁ, କୃଷି କ୍ଷେତ୍ରର ଭିତ୍ତିଭୂମିକୁ ମଜଭୁତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେବେ ପ୍ରଧାନମନ୍ତ୍ରୀ। କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ସ୍ଥାପିତ ୫୨୧ଟି ୟୁନିଟ୍ର ଲୋକାର୍ପଣ କରିବେ। ଏହାଦ୍ୱାରା କୃଷିଜାତ ଦ୍ରବ୍ୟର ସଂରକ୍ଷଣ ଓ ପ୍ରକ୍ରିୟାକରଣ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ। ଏଥିସହ ୧୨ଟି ଉଦ୍ୟାନକୃଷି କ୍ଲଷ୍ଟରର ମଧ୍ୟ ଉଦ୍ଘାଟନ କରିବେ ମୋଦୀ। ଏହା ଉଚ୍ଚମୂଲ୍ୟର ଫସଲ ଚାଷକୁ ପ୍ରୋତ୍ସାହନ ଦେବା ସହ ଚାଷୀଙ୍କ ଆୟ ବଢ଼ାଇବାରେ ସହାୟକ ହେବ।
ବର୍ଷକୁ ମିଳୁଛି ୬ ହଜାର ଟଙ୍କା
୨୦୧୯ ଫେବୃଆରୀରେ ଆରମ୍ଭ ହୋଇଥିଲା ପିଏମ୍ କିଷାନ ଯୋଜନା। ଏହି ଯୋଜନାରେ ଯୋଗ୍ୟ ଭୂମିଧାରୀ ଚାଷୀ ପରିବାରକୁ ବର୍ଷକୁ ୬ ହଜାର ଟଙ୍କା ମିଳୁଛି। ଏହି ଅର୍ଥରାଶି ୨ ହଜାର ଟଙ୍କା ଲେଖାଏଁ ତିନୋଟି କିସ୍ତିରେ ସିଧାସଳଖ ବ୍ୟାଙ୍କ ଖାତାକୁ ପଠାଯାଉଛି। ଏଯାଏଁ ୨୩ଟି କିସ୍ତିରେ ଚାଷୀଙ୍କୁ ମୋଟ ୪.୪୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏବେ ୨୪ତମ କିସ୍ତିକୁ ନେଇ ଚାଷୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।