ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ସୃଷ୍ଟି ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି. ଏହି ନିଷ୍ପତ୍ତି ନେଇଛନ୍ତି ।ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଏହା ଲାଗୁ ହେବ ।
ବାତ୍ୟା ପରବର୍ତ୍ତୀ ବନ୍ୟା ଏବଂ କେତେକ ଲୋକଙ୍କୁ ସ୍କୁଲଗୁଡ଼ିକରେ ଆଶ୍ରୟ ଦିଆଯାଇଥିବାରୁ ଏହି ଛୁଟି ଅବଧିକୁ ବୃଦ୍ଧି କରାଯାଇଛି ।ନଭେମ୍ବର ୨ ତାରିଖ ପରେ ସ୍ଥିତି ସମୀକ୍ଷା କରି ସ୍କୁଲ ଖୋଲିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବ । ସଠିକ୍ ଓ ଅପଡେଟେଡ୍ ଖବର ପାଇଁ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନର ସରକାରୀ ବିଜ୍ଞପ୍ତି ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।
ବାତ୍ୟା ଅର୍ଣ୍ଣବର ପ୍ରଭାବରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛି ଗଞ୍ଜାମ । ଜିଲ୍ଲାରେ ଉପୁଜିଥିବା ବନ୍ୟା ପରିସ୍ଥିତି ଯୋଗୁଁ ବର୍ତ୍ତମାନ ଜଳବନ୍ଦୀରେ ଅଛନ୍ତି ଅନେକ ଲୋକ । ଏପରି ପରିସ୍ଥିତିରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି ।
ସେପଟେ ବଙ୍ଗୋପସାଗରରେ ଘନଉଛି ଆଉ ଏକ ବାତ୍ୟା ଆଶଙ୍କା । ଅବପାତର ରୂପ ନେଲା ଲଘୁଚାପ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବାର ଆକଳନ କରାଯାଇଛି । ଏହାପରେ ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ ଏହି ସିଷ୍ଟମ । ପାଣିପାଗ ସୂଚନା ଅନୁସାରେ ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା ଏହି ସିଷ୍ଟମ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିପାରେ। ତେବେ ଏହାର ଗତିପଥ, ତୀବ୍ରତା ଓ ଉପକୂଳ ଉପରେ ଥିବା ପ୍ରଭାବ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।