ଭୁବନେଶ୍ୱର: ରାଜ୍ୟରେ ଆଇନଗତ କାଗଜପତ୍ର ଅପଡେଟ୍ ନଥିବା ଗାଡ଼ି ମାଲିକଙ୍କ ବିରୋଧରେ ଆରମ୍ଭ ହୋଇଛି କଡ଼ା ପଦକ୍ଷେପ। ନଭେମ୍ବର ୧ ତାରିଖରେ ଗୋଟିଏ ଦିନ ମଧ୍ୟରେ ରାଜ୍ୟରେ ପ୍ରାୟ ୨ ଲକ୍ଷ ଗାଡ଼ିର ପଞ୍ଜୀକରଣ (RC) ବାତିଲ୍ କରାଯାଇଛି। ବୈଧ ବୀମା (Insurance), ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) ଏବଂ ଫିଟନେସ୍ ସାର୍ଟିଫିକେଟ୍ ଅଭାବରୁ ପରିବହନ ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ନିଷ୍ପତ୍ତି ଯୋଗୁଁ ଉଭୟ ବ୍ୟବସାୟିକ ଓ ଘରୋଇ ଗାଡ଼ି ମାଲିକ ପ୍ରଭାବିତ ହୋଇଛନ୍ତି।
ଗଣମାଧ୍ୟମ ସୂଚନା ଅନୁଯାୟୀ, ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ଜରୁରୀ କାଗଜପତ୍ର ନବୀକରଣ କରାଯାଇ ନଥିବା ଗାଡ଼ିଗୁଡ଼ିକୁ ଚିହ୍ନଟ କରିବା ପାଇଁ 'ଇ-ଡିଟେକ୍ସନ୍' (e-Detection) ପ୍ରଣାଳୀର ବ୍ୟବହାର କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୨ ଲକ୍ଷ ଗାଡ଼ିର ଆରସି ରଦ୍ଦ ହୋଇଥିବା ବେଳେ, ଆଗାମୀ ଦିନରେ ଆହୁରି ପାଖାପାଖି ୨୫ ଲକ୍ଷ ଗାଡ଼ି ଉପରେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ରହିଛି। ଆରସି ବାତିଲ୍ ହୋଇଥିବା ଗାଡ଼ି ରାସ୍ତାରେ ଚାଲୁଥିବାର ଧରାପଡ଼ିଲେ ତାହାକୁ ସିଧାସଳଖ ଜବତ କରାଯିବ।
ଅନ୍ୟପଟେ, ପରିବହନ ବିଭାଗର ଏହି ହଠାତ୍ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସାଧାରଣ ଗାଡ଼ି ମାଲିକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ନବୀକରଣ ସହ ଅନ୍ୟାନ୍ୟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଗାଡ଼ି ମାଲିକଙ୍କୁ ଅତିକମ୍ରେ ୬ ମାସର ପର୍ଯ୍ୟାପ୍ତ ସମୟ ଦେବାକୁ ବୁଦ୍ଧିଜୀବୀ ଓ ସଂଘ ପକ୍ଷରୁ ଦାବି କରାଯାଇଛି। ଆଗାମୀ ଦିନରେ ବାକି ୨୫ ଲକ୍ଷ ଗାଡ଼ିର RC ବାତିଲ୍ ହେବା ପୂର୍ବରୁ ସରକାର କୌଣସି ଆଶ୍ୱାସନା କିମ୍ବା ମୋହଲତ ଦେଉଛନ୍ତି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।