ଭୁବନେଶ୍ୱର : ଓଡ଼ିଶାର ଜେଲ ଡିଜି ସୁଶାନ୍ତ ନାଥଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ଚୌଦ୍ୱାର ଜେଲର ପୂର୍ବତନ ଜେଲର ସନ୍ତୋଷିନୀ ଦାସ ଏହି ଅଭିଯୋଗ ଆଣିଛନ୍ତି। କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ଦେବା ସହ ତାଙ୍କ କ୍ୟାରିୟର ଶେଷ କରିଦେବାକୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ ଡିଜିଙ୍କ ବନ୍ଧୁ ବୋଲି ପରିଚୟ ଦେଇ କୁଲଦୀପ ରଥ ଜେଲ୍ ପରିଦର୍ଶନ ସମୟରେ ସନ୍ତୋଷିନୀଙ୍କ ମୋବାଇଲ୍ ନମ୍ବର ନେଇଥିଲେ। ପରେ ତାଙ୍କୁ କିଛି ଅସଂଗତ ବାର୍ତ୍ତା ପଠାଇବା ସହ ହୋଟେଲ୍ରେ ଏକାକୀ ଭୋଜନ ପାଇଁ ନିମନ୍ତ୍ରଣ ଦିଆଯାଇଥିଲା । ଡିଜି ତାଙ୍କୁ ଏକାକୀ ଭେଟିବାକୁ ଚାହୁଁଥିବା କୁହାଯାଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ତାଙ୍କୁ ଉଭୟ ହଇରାଣ କରିବା ସହ ଚାକିରିରୁ ବହିଷ୍କାର ଓ ଶାରୀରିକ କ୍ଷତି ପହଞ୍ଚାଇବାର ଧମକ ମିଳିଥିବା ସେ ଦର୍ଶାଇଛନ୍ତି। ଏଥିସହ ନିଲମ୍ବନ, ଦରମା ଓ ଭତ୍ତା ବନ୍ଦ ଏବଂ ପାଞ୍ଚଟି ବିଭାଗୀୟ ତଦନ୍ତକୁ ନେଇ ମଧ୍ୟ ପ୍ରତିଶୋଧମୂଳକ ପଦକ୍ଷେପ ନେବେ କହିଛନ୍ତି ବୋଲି ଅଭିଯୋଗ ହୋଇଛି ।
ଏହି ଅଭିଯୋଗ ଆଧାରରେ ଚୌଦ୍ୱାର ଥାନାରେ କେସ୍ ନମ୍ବର ୭୧୩/୨୦୨୬ ରୁଜୁ ହୋଇଛି। BNSର ଧାରା ୭୫(୨), ୩୫୧(୨) ଓ ୩(୫) ଅନୁଯାୟୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଇନ୍ସପେକ୍ଟର ବିକାଶ ସେଠୀ ଏହି ମାମଲାର ତଦନ୍ତ କରୁଛନ୍ତି। ତେବେ ଅଭିଯୋଗର ସତ୍ୟାସତ୍ୟ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।