ଗଜପତି: ଗଜପତି ଜିଲ୍ଲାରେ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଦେଖିବାକୁ ମିଳିଛି ବ୍ୟାପକ କ୍ଷୟକ୍ଷତି। ଜିଲ୍ଲାର ସାତଟି ବ୍ଲକରେ କେଉଁଠି ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଲା ତ ଆଉ କେଉଁଠି ରାସ୍ତା ଧୋଇ ହୋଇଯାଇଛି। ଅନ୍ୟ କେତେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଏପରିକି କିଛି ଅଞ୍ଚଳ ଜଳମଗ୍ନ ହୋଇ ଲୋକଙ୍କ ଜୀବନଯାତ୍ରାକୁ ଦୁର୍ବିଷହ କରିଦେଇଛି।
ବାତ୍ୟାର ଏହି ତାଣ୍ଡବ ସବୁଠାରୁ ଅଧିକ ଦୁଃଖ ଦେଇଛି ଚାଷୀ କୁଳକୁ। ମାସ ମାସର ପରିଶ୍ରମ ଓ ଧାର କରଜ କରି ଚାଷ କରିଥିବା ଧାନ,ମକା ଫସଲ ଏବେ ପାଣିରେ ବୁଡ଼ି ନଷ୍ଟ ହେବାକୁ ବସିଛି। ଯେଉଁ କ୍ଷେତରେ ସୁନାର ଫସଲ ଦେଖିବାର ସ୍ୱପ୍ନ ଦେଖିଥିଲା ଚାଷୀ, ସେହି କ୍ଷେତ ଆଜି ପାଣିରେ ଭରି ରହିଛି। ମାଟିରେ ମିଶିଛି ମକା,ଧାନ ତଥାପି ହାର ମାନିନାହିଁ ଚାଷୀ। ନଷ୍ଟ ହୋଇଯାଇଥିବା ଫସଲ ଭିତରୁ କିଛି ଧାନ ବଞ୍ଚାଇବା ଆଶାରେ କାଦୁଅ ପାଣିରେ ପଶି ଧାନ ଗଛକୁ ଗୋଟିଏ ପରେ ଗୋଟିଏ ବାନ୍ଧୁଛି। ଆଖିରେ ଲୁହ, ମନରେ ଅସରନ୍ତି କୋହ, ତଥାପି ମନରେ ରହିଛି ଫସଲ ବଞ୍ଚାଇବାର ଶେଷ ଆଶା।
ବାତ୍ୟା ଅର୍ଣ୍ଣବ ଗଜପତିର ଭିତ୍ତିଭୂମି ସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ଗଜପତି ଜିଲ୍ଲାର ୭ ଗୋଟି ବ୍ଲକ ମଧ୍ୟରୁ କାଶୀନଗର ଓ ଗୋଷାଣି ଦୁଇଟି ବ୍ଲକ ଧାନ ଚାଷ ପାଇଁ ବାତାବରଣ ଅନୁକୁଳ ଅଟେ ଥିବା ବେଳେ ମହୋନା, ଆର୍ ଉଦେଗିରି, ରାୟଗଡ଼। ରେ ସାମୁଦ୍ରିକ ଝଡ ଜନିତ ବର୍ଷା ଯୋଗୁଁ ବ୍ଲକର ପ୍ରାୟ ସମସ୍ତ ସ୍ଥାନରେ ଧାନଚାଷ ,ଓ ମକା ଜନା ପ୍ରଭାବିତ ହୋଇଛି । ତେବେ ଆଜି ବି ଅନେକ ଧାନଗଛ ଭରା ଜମିରେ ପାଣିର ସ୍ରୋତ ଚାଲୁଥିବାର ଦେଖିବାକୁ ମିଳିଛି । ବର୍ତମାନ ଯୁଆଡେ ଦେଖିଲେ ଚାଷୀଙ୍କ ଚହଳ । କିଏ ହୁଡା ଭାଙ୍ଗୁଛିତ କିଏ ପାଣିରେ ଡୁବିଥିବା ଧାନଗଛକୁ ବାହାର କରି ଦେଖାଉଛନ୍ତି ।
ବିଶେଷ କରି ଗୋଷାଣୀ ବ୍ଲକର ସବରା, ଚିନ୍ତାପଲ୍ଲୀ, ଗୁରାଣ୍ଡି, ମହେଦେଇପୁର, ମାଛମରା, ଜଙ୍ଗଲପାଡୁ, ଶରଧାପୁର, ବାଘଶାଳା, ଅଗରଖଣ୍ଡି, ବାପୁଜୀପେଣ୍ଠ, କାମଧେନୁ, ସିଙ୍ଗିପୁର ଗ୍ରାମାଞ୍ଚଳ ସମେତ ତଳି ଅଞ୍ଚଳର ଚାଷଜମି ଗୁଡିକ ବ୍ୟାପକ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଅନ୍ୟ ପଟେ ଏକର ଏକର ମକା କ୍ଷେତରେ ପାଣି ଜମିଥିବା ବେଳେ ମକା ଗଛ ଭାଙ୍ଗି ମାଟିରେ ମିଶିଯାଇଛି l ମକା ଫସଲ ପାଣିରେ ବୁଡି ରହିଥିବା ବେଳେ ଗଜା ବାହାରି ପଡ଼ିଥିବା ଦେଖିବାକୁ ମିଳିଛି l ଏଭଳି କ୍ଷେତ୍ରରେ ଏହି ବର୍ଷ କିଭଳି ଋଣ ସୁଝିବେ ଓ ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ଅଛନ୍ତି ଚାଷୀକୁଳ l ଏଥିପାଇଁ ଚାଷୀ ଦାବି କରିଛନ୍ତି ଏହି ବର୍ଷ ଚାଷୀ ରୁଣ ଛାଡ କରନ୍ତୁ,ଏକର ପିଛା ୨୦ରୁ ୩୦ହଜାର ଟଙ୍କା ସହାୟତା ସହ ଫ୍ରିରେ ବିହନ ପ୍ରଦାନ କରାଯାଉ ।
ଗଜପତି ଜିଲ୍ଲାପାଳ ନିଜେ ବାତ୍ୟା ପରେ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ଅନୁଧ୍ୟାନ ପାଇଁ ଗଜପତି ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ପାହାଡ଼ ଚଢ଼ି ଗୋଷାଣୀ ବ୍ଲକ୍ର ବିଭିନ୍ନ ଅଞ୍ଚଳ ଓ ଗଙ୍ଗାବାଡ଼ ଭଳି ଅପହଞ୍ଚ ଅଞ୍ଚଳ ଗସ୍ତ କରିଛନ୍ତି। ସେଠାରେ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବୁଝିବା ସହ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଯୋଗେଇ ଦେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଓ କହିଛନ୍ତି ବର୍ତ୍ତମାନ ଆକଳନ ଚାଲିଛି ଖୁବ୍ ଶିଘ୍ର ସରକାର ଙ୍କ ନିୟମ ଅନୁସାରେ କ୍ଷତିଗ୍ରସ୍ତ ଚାଷୀ ଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି।