ଭୁବନେଶ୍ୱର : ୩୪ତମ ଏକଲବ୍ୟ ପୁରସ୍କାର ୨୦୨୬ ଘୋଷଣା ହୋଇଛି। ହକି ଖେଳାଳି ସୁନେଲିତା ଟପ୍ପୋଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ହକି କ୍ଷେତ୍ରରେ ଜଣେ ଉଦୀୟମାନ ପ୍ରତିଭା ସୁନେଲିତା ଟପ୍ପୋ କ୍ରୀଡ଼ାରେ ତାଙ୍କର ଅସାଧାରଣ ପ୍ରଦର୍ଶନ ଏବଂ ସଫଳତା ପାଇଁ ତାଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ବାବଦରେ ୭ ଲକ୍ଷ ଟଙ୍କାର ନଗଦ ସାହାଯ୍ୟ ସହ ଏକ ଟ୍ରଫି ପ୍ରଦାନ କରାଯିବ। ଯାହାକି ଅନୁଷ୍ଠିତ ହେବାକୁ ଥିବା ଏକଲବ୍ୟ ପୁରସ୍କାର ପ୍ରଦାନ ସମାରୋହରେ ପ୍ରଦାନ କରାଯିବ ।
ଏହାବ୍ୟତୀତ ହକି ଖେଳାଳି ଅମନଦୀପ ଲାକ୍ରା ଏବଂ ବ୍ୟାଡମିଣ୍ଟନ ଖେଳାଳି ତନଭୀ ପାତ୍ରୀ ଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପ୍ରଶସ୍ତିପତ୍ର ପୁରସ୍କାର ପାଇଁ ମନୋନୀତ କରାଯାଇଛି । ପ୍ରତ୍ୟେକ ଉପବିଜେତାଙ୍କୁ ସମାରୋହରେ ମାନପତ୍ର ସହ ୧.୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯିବ ।
୧୯୯୩ ମସିହାରେ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ ଚାରିଟେବୁଲ୍ ଟ୍ରଷ୍ଟ (ଇମ୍ପାକ୍ଟ ) ଦ୍ୱାରା ପ୍ରତିଷ୍ଠିତ ଏବଂ ଭାରତର ସର୍ବବୃହତ ଫେରୋ କ୍ରୋମ୍ ଉତ୍ପାଦନକାରୀ କମ୍ପାନୀ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟଜ୍ ଲିମିଟେଡ୍ (ଇମ୍ଫା) ଦ୍ୱାରା ପରିଚାଳିତ ଏକଲବ୍ୟ ପୁରସ୍କାର ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ କ୍ରୀଡ଼ା ସମ୍ମାନ ଭାବେ ନିଜର ସ୍ଥାନ ସ୍ୱତନ୍ତ୍ର ରହିଛି ।
ଗତ କିଛି ବର୍ଷ ମଧ୍ୟରେ ଏହି ପୁରସ୍କାର ପ୍ରତିଶ୍ରୁତିବଦ୍ଧ କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଉତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଯେଉଁଥିରେ ପୂର୍ବରୁ ପୁରସ୍କୃତ ଅନେକ କ୍ରୀଡ଼ାବିତ୍ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିଛନ୍ତି ।
ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ଓଡ଼ିଶାର ଯୁବ କ୍ରୀଡ଼ାବିତ୍ମାନଙ୍କୁ ବିଗତ ୨ ବର୍ଷ ମଧ୍ୟରେ ସେମାନଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ସମ୍ମାନିତ କରିଥାଏ । ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଜୁରୀ ସଦସ୍ୟମାନଙ୍କୁ ନେଇ ଗଠିତ ଏକଲବ୍ୟ ପୁରସ୍କାର କମିଟି ଦ୍ୱାରା ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଛି ।