ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ଆସିଛି ଏକ ଭଲ ଖବର। ଆହତ ସମସ୍ୟାରୁ ମୁକୁଳି ପୁଣି ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ହୋଇଛନ୍ତି ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା। ବେଙ୍ଗାଲୁରୁସ୍ଥିତ ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE)ର ମେଡିକାଲ ଟିମ୍ ତାଙ୍କୁ ତିନୋଟି ଫର୍ମାଟ୍ ପାଇଁ ଫିଟ୍ ଘୋଷଣା କରିଛି।
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ତିନୋଟି ଦିନିକିଆ ପାଇଁ ଘୋଷିତ ଭାରତୀୟ ଦଳରେ ପ୍ରସିଦ୍ଧଙ୍କୁ ସ୍ଥାନ ମିଳିଥିଲା। କିନ୍ତୁ ଆହତ ସମସ୍ୟା ଯୋଗୁଁ ପରେ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା। ଏବେ ଫିଟନେସ୍ ଟେଷ୍ଟରେ ସଫଳ ହେବା ପରେ ତାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆଶା ବଢ଼ିଛି।
ନ୍ୟୁଜିଲାଣ୍ଡ ଯିବେ ପ୍ରସିଦ୍ଧ, ଟେଷ୍ଟ ସିରିଜ୍ ଉପରେ ନଜର
କ୍ରିକବଜ୍ର ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁର ସେଣ୍ଟର ଅଫ୍ ଏକ୍ସଲେନ୍ସରେ ଗତ ଦୁଇ ଦିନ ଧରି ହୋଇଥିବା ସିମୁଲେସନ୍ ଟେଷ୍ଟ ପରେ ମେଡିକାଲ ଟିମ୍ ତାଙ୍କୁ ଖେଳିବା ପାଇଁ ଅନୁମତି ଦେଇଛି। ଖୁବ୍ଶୀଘ୍ର ସେ ନ୍ୟୁଜିଲାଣ୍ଡ ଗସ୍ତ କରିବେ ବୋଲି ଆଶା କରାଯାଉଛି।
ନଭେମ୍ବର ୭ରୁ ଇଣ୍ଡିଆ-ଏ ଓ ନ୍ୟୁଜିଲାଣ୍ଡ-ଏ ମଧ୍ୟରେ ହେବାକୁ ଥିବା ତୃତୀୟ ତଥା ଶେଷ ଅନୌପଚାରିକ ଟେଷ୍ଟ ପାଇଁ ସେ ଉପଲବ୍ଧ ରହିପାରନ୍ତି। ତେବେ ଆଗାମୀ ଦିନିକିଆ ସିରିଜ୍ରେ ତାଙ୍କୁ ଖେଳିବାର ସୁଯୋଗ ମିଳିବ ନାହିଁ। ଏହାପରେ ହେବାକୁ ଥିବା ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ତାଙ୍କ ଫିଟନେସ୍ ଭାରତୀୟ ଦଳକୁ ଆଶ୍ୱସ୍ତି ଦେଇଛି।
ୱେଷ୍ଟଇଣ୍ଡିଜ୍ ସିରିଜ୍ରେ ଆହତ ହୋଇଥିଲେ
ପ୍ରସିଦ୍ଧ କୃଷ୍ଣାଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଗୌହାଟୀ ଦିନିକିଆ ମ୍ୟାଚ୍ ସମୟରେ ହାମଷ୍ଟ୍ରିଙ୍ଗ୍ରେ ଆଘାତ ଲାଗିଥିଲା। ସେପ୍ଟେମ୍ବର ୩୦ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଏହି ସମସ୍ୟା ଦେଖାଦେବା ପରେ ତାଙ୍କୁ ବିଶ୍ରାମ ଓ ପୁନର୍ବାସ ପ୍ରକ୍ରିୟାରେ ରଖାଯାଇଥିଲା। ଆହତ କାରଣରୁ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିଥିଲେ। ଏବେ ସମ୍ପୂର୍ଣ୍ଣ ଫିଟ୍ ହେବା ପରେ ଟେଷ୍ଟ ଦଳରେ ତାଙ୍କ ଉପଲବ୍ଧତାକୁ ନେଇ ଆଶା ସୃଷ୍ଟି ହୋଇଛି।