ତେହେରାନ: ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଏବେ ରାସ୍ତାକୁ ଓହ୍ଲାଇଛି ରାଜନୈତିକ ବିରୋଧ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସିଧାସଳଖ ହତ୍ୟା ଧମକ ଦେଇ ଇରାନର ରାଜଧାନୀ ତେହେରାନରେ ଲଗାଯାଇଛି ଏକ ବିଶାଳ ହୋର୍ଡିଂ। ଏଥିରେ ଟ୍ରମ୍ପଙ୍କୁ ଜେଲ୍ ଭିତରେ ବନ୍ଦୀ ଅବସ୍ଥାରେ ଦେଖାଯାଇଥିବା ବେଳେ ଏହା ଉପରେ 'We Will Kill Trump' ଅର୍ଥାତ୍ 'ଆମେ ଟ୍ରମ୍ପଙ୍କୁ ହତ୍ୟା କରିବୁ' ବୋଲି ଲେଖାଯାଇଛି। ଏହି ପୋଷ୍ଟର ଓ ବ୍ୟାନର ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ସୃଷ୍ଟି କରିଛି।
ନଭେମ୍ବର ୩ ତାରିଖରେ ତେହେରାନର ଜନଗହଳିପୂର୍ଣ୍ଣ ଏନଘେଲାବ୍ ସ୍କୋୟାର ନିକଟରେ ଏହି ବିଶାଳ ହୋର୍ଡିଂ ଲଗାଯାଇଛି। ଏଥିରେ ଟ୍ରମ୍ପଙ୍କୁ ମୁଣ୍ଡ ନୁଆଁଇ ଜେଲ୍ ଭିତରେ ଥିବା ଭଳି ଚିତ୍ରଣ କରାଯାଇଛି। ଏହା ସହ ଅନ୍ୟ ଏକ ବଡ଼ ପ୍ରଦର୍ଶନୀରେ ଆମେରିକା ଓ ଇସ୍ରାଏଲର ଶୀର୍ଷ ନେତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖାଯାଇଛି।
ଅନ୍ୟ ହୋର୍ଡିଂରେ ଟ୍ରମ୍ପଙ୍କ ସହ ୩ ନେତାଙ୍କ ଚିତ୍ର
ତେହେରାନରେ ଲଗାଯାଇଥିବା ଅନ୍ୟ ଏକ ହୋର୍ଡିଂରେ ଟ୍ରମ୍ପଙ୍କ ସହ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ, ଆମେରିକାର ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ୍ ଏବଂ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଚିତ୍ର ରହିଛି। ସମସ୍ତଙ୍କୁ ରକ୍ତାକ୍ତ ମୁହଁ ଓ ଛିଣ୍ଡା ପୋଷାକରେ ଦେଖାଯାଇଛି। ପଛପଟେ ଆମେରିକା ଓ ଇସ୍ରାଏଲର କ୍ଷତିଗ୍ରସ୍ତ ପତାକା ମଧ୍ୟ ରହିଛି। ଏହି ପ୍ରଦର୍ଶନୀ କେବଳ ରାଜନୈତିକ ବିରୋଧ ନୁହେଁ, ବରଂ ଆମେରିକା ଓ ଇସ୍ରାଏଲ୍ ବିରୋଧରେ ଇରାନର କ୍ରୋଧକୁ ସାର୍ବଜନୀନ ଭାବେ ପ୍ରକାଶ କରୁଥିବା ଭାବେ ଦେଖାଯାଉଛି।
ରାସ୍ତାରେ ଏକାଠି ହେଲେ ଶତାଧିକ ଲୋକ
ଏହି ହୋର୍ଡିଂ ନିକଟରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। କିଛି ଲୋକ ଲାଲ୍ ପତାକା ଧରିଥିବା ବେଳେ ଅନ୍ୟମାନଙ୍କ ହାତରେ 'There Will Be Blood' ଲେଖାଥିବା ବ୍ୟାନର ଦେଖିବାକୁ ମିଳିଥିଲା। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁର ପ୍ରତିଶୋଧ ଦାବି କରି ଲୋକମାନେ ସ୍ଲୋଗାନ ଦେଇଥିଲେ।
ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ଖାମେନିଙ୍କ ମୃତ୍ୟୁ ପରେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଅଧିକ ତୀବ୍ର ହୋଇଥିବା ରିପୋର୍ଟରେ କୁହାଯାଇଛି। ଏହାପରଠାରୁ ତେହେରାନର ବିଭିନ୍ନ ସ୍ଥାନରେ ଆମେରିକା ବିରୋଧୀ ଚିତ୍ର, ବ୍ୟାନର ଓ ପୋଷ୍ଟର ଲଗାଯାଉଛି।