ବରଗଡ଼ : ମାଛ ଧରିବାକୁ ଯାଇ ପୋଖରୀରେ ବୁଡ଼ି ଚାଲିଗଲା ଦୁଇଟି ଜୀବନ। ମାଛ ଧରୁଥିବା ସମୟରେ ଜାଲରେ ଛନ୍ଦି ହୋଇ ଗଭୀର ଜଳରେ ବୁଡ଼ିଯିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା ଗ୍ରାମପଞ୍ଚାୟତରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି।
ମୃତକଦ୍ୱୟ ହେଲେ ଗ୍ରାମର ରମେଶ ମହାକୁର (୫୦) ଓ ରିଙ୍କୁ ବର୍ଗେ (୨୪)। ସୂଚନା ଅନୁସାରେ, ରମେଶ ଓ ରିଙ୍କୁ ରମେଶଙ୍କ ନିଜ ପୋଖରୀରେ ମାଛ ଧରିବା ପାଇଁ ଜାଲ ପକାଇଥିଲେ। ଏହି ସମୟରେ କୌଣସି କାରଣରୁ ଉଭୟ ମାଛଧରା ଜାଲରେ ଛନ୍ଦି ହୋଇଯାଇଥିଲେ। ଫଳରେ ଗଭୀର ଜଳରୁ ବାହାରି ନପାରି ବୁଡ଼ିଯାଇଥିଲେ।
ଦୀର୍ଘ ସମୟ ଧରି ଉଭୟ ଘରକୁ ନଫେରିବାରୁ ପରିବାର ଲୋକ ଓ ଗ୍ରାମବାସୀଙ୍କ ମନରେ ସନ୍ଦେହ ହୋଇଥିଲା। ପରେ ଗ୍ରାମବାସୀ ପୋଖରୀରେ ଖୋଜାଖୋଜି କରି ଉଭୟଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ସେମାନଙ୍କୁ ଅତାବିରା ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଦୀପାବଳି ପର୍ବକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସାହ ଓ ଆନନ୍ଦର ପରିବେଶ ରହିଥିବା ବେଳେ ଏହି ଅଭାବନୀୟ ଘଟଣା ଦୁଇଟି ପରିବାରର ଖୁସି ଛଡ଼ାଇ ନେଇଛି। ଏହାକୁ ନେଇ ବୁଗବୁଗା ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।