ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ପ୍ରଦୂଷଣମୁକ୍ତ ଓ ସୁରକ୍ଷିତ ଭାବେ ପାଳନ କରିବାକୁ ଅଣ୍ଟା ଭିଡ଼ିଛି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB)। ଦୀପାବଳି ଅବସରରେ ବାୟୁ ଓ ଶବ୍ଦ ପ୍ରଦୂଷଣ ରୋକିବାକୁ ବୋର୍ଡ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଗାଇଡଲାଇନ୍। ପାରମ୍ପରିକ ବାଣ ବଦଳରେ ଗ୍ରୀନ୍ କ୍ରାକର୍ସ ବ୍ୟବହାର କରିବାକୁ ଲୋକଙ୍କୁ ଅପିଲ୍ କରାଯାଇଛି।
ଗ୍ରୀନ୍ କ୍ରାକର୍ସ ବ୍ୟବହାରକୁ ଗୁରୁତ୍ୱ
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖାଯାଇଛି। ଏଥିସହ ରାଜ୍ୟ ସରକାରଙ୍କୁ ମଧ୍ୟ ଏହି ଆଡଭାଇଜରୀ ସମ୍ପର୍କରେ ଅବଗତ କରାଯାଇଛି।
ବୋର୍ଡର ମୁଖ୍ୟ ପରିବେଶ ବୈଜ୍ଞାନିକ ନିରଞ୍ଜନ ମଲ୍ଲିକଙ୍କ କହିବା ଅନୁସାରେ, ପାରମ୍ପରିକ ବାଣରେ ବେରିୟମ୍ ନାଇଟ୍ରେଟ୍, ସୀସା, ଆର୍ସେନିକ୍ ଓ ଲିଥିୟମ୍ ଭଳି କ୍ଷତିକାରକ ରାସାୟନିକ ପଦାର୍ଥ ରହିଥାଏ। ଏହା ପରିବେଶ ଓ ମାନବ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ଗ୍ରୀନ୍ କ୍ରାକର୍ସ ବ୍ୟବହାର ପାଇଁ ସୁପ୍ରିମକୋର୍ଟ ମଧ୍ୟ ଲୋକଙ୍କୁ ଅପିଲ୍ କରିଛନ୍ତି।
କେମିତି ଚିହ୍ନିବେ ଅସଲି ଗ୍ରୀନ୍ କ୍ରାକର୍ସ?
ବାଣ କିଣିବା ସମୟରେ ତାହା ଗ୍ରୀନ୍ କ୍ରାକର୍ସ କି ନୁହେଁ, ଜାଣିବା ପାଇଁ CSIR-NEERI ପକ୍ଷରୁ ଲୋଗୋ ଓ QR କୋଡ୍ ବ୍ୟବସ୍ଥା କରାଯାଇଛି। ତେଣୁ ବାଣ କିଣିବା ପୂର୍ବରୁ ଏହି ଲୋଗୋ ଓ QR କୋଡ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।
୧୦ ବର୍ଷରୁ କମ୍ ପିଲାଙ୍କ ପାଇଁ କଟକଣା
ଦୀପାବଳିରେ ଶିଶୁଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦେଇଛି OSPCB। ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବାକୁ ଅନୁମତି ନଦେବାକୁ କୁହାଯାଇଛି। ଏହା ସହ ବାଣର ଶବ୍ଦ ସ୍ତର ୧୨୫ ଡେସିବେଲ୍ରୁ ଅଧିକ ନହେବା ଉଚିତ ବୋଲି ଆଡଭାଇଜରୀରେ ଉଲ୍ଲେଖ ରହିଛି।
ଓଡ଼ିଶାରେ AQI ସ୍ଥିତି ସନ୍ତୋଷଜନକ
ବର୍ତ୍ତମାନ ଓଡ଼ିଶାରେ ବାୟୁର ଗୁଣବତ୍ତା ସୂଚକାଙ୍କ (AQI) ୦ରୁ ୫୦ ମଧ୍ୟରେ ରହିଛି। ଏହା ସନ୍ତୋଷଜନକ ସ୍ଥିତିକୁ ଦର୍ଶାଉଛି। ତେବେ ଦୀପାବଳିରେ ଅଧିକ ବାଣ ଫୁଟାଇଲେ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି।
ତେଣୁ ଦୀପାବଳିକୁ ଆନନ୍ଦ ଓ ଉତ୍ସାହର ସହ ପାଳନ କରିବା ସହ ପରିବେଶର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାକୁ OSPCB ପକ୍ଷରୁ ଅନୁରୋଧ କରାଯାଇଛି। ଯେପରି ଆମ ଉତ୍ସବର ଖୁସି ପରିବେଶ ଓ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ନସାଜେ, ସେଥିପ୍ରତି ସମସ୍ତେ ସଚେତନ ରହିବା ଜରୁରୀ।