ଆଜି ଆଲୋକର ପର୍ବ ଦୀପାବଳି । ସାରାଦେଶରେ ଲୋକମାନେ ଆଜି ଏହି ପର୍ବକୁ ଧୁମ୍ଧାମରେ ପାଳନ କରନ୍ତି। ୧୪ ବର୍ଷ ଧରି ଘୋର ବନରେ ବିତାଇଥିବା ଶ୍ରୀରାମ ଅମାବାସ୍ୟା ତିଥିରେ ଅଯୋଧ୍ୟା ଫେରିଥିଲେ। ଏଣୁ ଏହି ଅମାବାସ୍ୟା ରାତିର ଅନ୍ଧାରକୁ ଦୂର କରିବା ଲାଗି ଅଯୋଧ୍ୟାବାସୀ ଘରେ ଘରେ ଦୀପ ଜଳାଇଥିଲେ। ସେହିଦିନଠାରୁ ଏହି ଦିନକୁ ଦୀପାବଳି ଭାବେ ପୂଜା କରାଯାଉଛି।
ଓଡ଼ିଶାରେ ଆଜି ଏହି ଦିନଟିକୁ ପୂର୍ବଜଙ୍କୁ ଦୀପ ଦାନ କରି ସମସ୍ତ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥାଏ।ଆଜିର ପବିତ୍ର ଦିନରେ ପିତୃପୁରୁଷଙ୍କ ସ୍ମରଣ କରି ବଡ଼ ବଡିଆ ଡକା ହେବ । ବିଶ୍ବାସ କରାଯାଏ ଯେ ପିତୃପକ୍ଷରେ ପୃଥିବୀକୁ ଆସିଥିବା ପୂର୍ବପୁରୁଷମାନେ କାର୍ତ୍ତିକ ଅମାବାସ୍ୟାରେ ପିତୃଲୋକକୁ ଫେରିଯାଆନ୍ତି । ସେମାନଙ୍କ ଫେରିବା ପଥକୁ ଆଲୋକିତ କରିବା ପାଇଁ କାଉଁରିଆ କାଠି ଜଳାଯାଏ । ଏହି ସମୟରେ ପରିବାରର ସଦସ୍ୟମାନେ ଏକାଠି ହୋଇ ପାରମ୍ପରିକ ବଡ଼ବଡ଼ୁଆ ଡାକ ଦେଇଥାନ୍ତି । ବଡ଼ବଡ଼ୁଆ ହୋ, ଅନ୍ଧାରରେ ଆସି ଆଲୁଅରେ ଯାଅ, ଗଙ୍ଗା ଯାଅ, ଗୟା ଯାଅ, ବାଇଶି ପାହାଚେ ଗଡ଼ଗଡ଼ଉଥାଅ। ଏହି ପାରମ୍ପରିକ ଡାକ ମାଧ୍ୟମରେ ପୂର୍ବପୁରୁଷଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଦିଆଯାଏ ।
ଦୀପାବଳି ଦିନ ଏହି ଦିନ ମା’ ଲକ୍ଷ୍ମୀଙ୍କ ଆରାଧନା ମଧ୍ୟ କରାଯାଏ। ଦୀପାବଳି ପୂର୍ବରୁ ଘରକୁ ସଜାଇ ନୂଆ ପୋଷାକ, ଗହଣା ପିନ୍ଧି ମା’ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିଥାନ୍ତି ଲୋକେ।
ପୁରାଣରେ ବର୍ଣ୍ଣିତ ଅଛି, ଦୀପାବଳି ପର୍ବ ପଛରେ ଅନେକ ପୌରାଣିକ କାହାଣୀ ରହିଛି। ଏହି ଦିନ ଧନଦାତ୍ରୀ ମା’ ମହାଲକ୍ଷ୍ମୀଙ୍କ ବିବାହ ଭଗବାନ ବିଷ୍ଣୁଙ୍କ ସହ ହୋଇଥିଲା ବୋଲି କେତେକ ପୁରାଣରେ ଉଲ୍ଲେଖ ରହିଛି। କେବଳ ଏତିକି ନୁହେଁ ଏହି ଦିନ ମା’ ମହାଲକ୍ଷ୍ମୀ ଜନ୍ମ ଗ୍ରହଣ କରିଥିବା କେତେକ ଶାସ୍ତ୍ରରୁ ଜଣାପଡ଼ିଛି।
ସବୁ ଧର୍ମର ଲୋକେ ଦୀପାବଳିକୁ ଖୁବ୍ ଧୁମ୍ଧାମ୍ରେ ପାଳନ କରନ୍ତି। କିନ୍ତୁ ହିନ୍ଦୁ, ଜୈନ, ବୌଦ୍ଧ ଓ ଶିଖ୍ ସମ୍ପ୍ରଦାୟଙ୍କ ପାଇଁ ଏହି ପର୍ବ ପାଳନର ଭିନ୍ନ ଭିନ୍ନ କାରଣ ରହିଛି। ଯେପରି କି, ହିନ୍ଦୁ ସମ୍ପ୍ରଦାୟରେ ଶ୍ରୀରାମ ବନବାସ ସାରି ଅଯୋଧ୍ୟା ଫେରିବା ଖୁସିରେ ଦିପାବଳୀ ପାଳନ କରାଯାଏ।
ଜୈନ ସମ୍ପ୍ରଦାୟରେ ମହାବୀର ଏହିଦିନ ନିର୍ବାଣ ପ୍ରାପ୍ତ କରିଥିଲେ। ସେହିପରି ସମ୍ରାଟ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିବା ଅବସରରେ ବୌଦ୍ଧ ସମ୍ପ୍ରଦାୟ ଦୀପାବଳି ପାଳନ କରନ୍ତି।
ଶିଖ୍ ସମୁଦାୟ ଏହାକୁ ଶିଖ୍ ଧର୍ମ ଗୁରୁ ହର୍ଗୋବିନ୍ଦ୍ ଜୀଙ୍କ ଘରବାହୁଡା ସ୍ମୃତି ଭାବେ ପାଳନ କରନ୍ତି। ଦିପାବଳୀ ଦିନ ଶିଖ୍ ଧର୍ମଗୁରୁ ହର୍ଗୋବିନ୍ଦ୍ ଜୀଙ୍କ ସହ ଅନ୍ୟ କେତେକ ହିନ୍ଦୁ ଧର୍ମ ଗୁରୁ ସମ୍ରାଟ ଜାହାଙ୍ଗିର୍ଙ୍କ ବନ୍ଦୀଶାଳାରୁ ମୁକ୍ତ ହୋଇ ଘରକୁ ବାହୁଡ଼ି ଥିଲେ।