ପୁରୀ: ଆଜି ଆଲୋକର ମହାପର୍ବ ଦୀପାବଳି। ଦୀପର ଆଲୋକରେ ଝଲସୁଛି ଘରଠୁ ମନ୍ଦିର, ସହରଠୁ ଗାଁ। ଆଲୋକମାଳା, ରଙ୍ଗୋଲି ଓ ମିଠାର ମହକରେ ମହକୁଛି ପରିବେଶ। ସୁଖ, ସମୃଦ୍ଧି ଓ ଶାନ୍ତିର କାମନା କରି ଘରେ ଘରେ ଚାଲିଛି ମା' ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା।
ବାଣ ବଜାରରେ ଗ୍ରୀନ୍ କ୍ରାକର୍ସର କ୍ରେଜ୍
ପ୍ରଦୂଷଣମୁକ୍ତ ଦୀପାବଳି ପାଳନ ପାଇଁ ଏଥର ଗ୍ରୀନ୍ କ୍ରାକର୍ସ ପ୍ରତି ବଢ଼ିଛି ଲୋକଙ୍କ ଆଗ୍ରହ। ପରିବେଶ ସୁରକ୍ଷାର ବାର୍ତ୍ତା ସହ ଉତ୍ସବକୁ ଆହୁରି ରଙ୍ଗିନ କରିବାରେ ଲାଗିଛନ୍ତି ଲୋକେ।
ପୟା ଶ୍ରାଦ୍ଧରେ ପିତୃପୁରୁଷଙ୍କୁ ସ୍ମରଣ, ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼
ଓଡ଼ିଆ ପରମ୍ପରାରେ ଦୀପାବଳିର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ। ପୟା ଶ୍ରାଦ୍ଧ ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହ କାଉଁରିଆ କାଠି ଜାଳି ବଡ଼ବଡ଼ୁଆଙ୍କୁ ଡାକୁଛନ୍ତି ଶ୍ରଦ୍ଧାଳୁ। ଏହି ପବିତ୍ର ପରମ୍ପରା ପାଳନ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଜମିଛି ଭକ୍ତଙ୍କ ଭିଡ଼।
ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ଭିଡ଼ ନିୟନ୍ତ୍ରଣ ପାଇଁ କଡ଼ା ବ୍ୟବସ୍ଥା
ଦୀପାବଳି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବ୍ୟାପକ ପଦକ୍ଷେପ।
ଆଲୋକର ଏହି ମହାପର୍ବ କେବଳ ଦୀପ ଜାଳିବାର ଉତ୍ସବ ନୁହେଁ, ବରଂ ଅନ୍ଧକାରରୁ ଆଲୋକ, ଅଶାନ୍ତିରୁ ଶାନ୍ତି ଏବଂ ଭେଦଭାବରୁ ଭାଇଚାରାର ବାର୍ତ୍ତା ବହନ କରେ। ସାରା ବିଶ୍ୱରେ ଆନନ୍ଦ, ଉଲ୍ଲାସ ଓ ଉତ୍ସାହର ସହ ପାଳିତ ହେଉଛି ଏହି ଆଲୋକର ପର୍ବ।