ଭୁବନେଶ୍ୱର: ଓଡ଼ିଶାକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ନୂଆ ପଦକ୍ଷେପ ନେବ କଳିଙ୍ଗ ସେନା। ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗଠନ ହେବ କଳିଙ୍ଗ ନିଶା ନିବାରଣ କମିଟି। ଏହାସହ ଆତ୍ମନିଯୁକ୍ତି ଯୋଜନା ମାଧ୍ୟମରେ ଯୁବକଯୁବତୀଙ୍କୁ ବ୍ୟାଙ୍କ ଋଣ ଯୋଗାଇଦେବା ଏବଂ ଶିଳ୍ପ ଓ କର୍ପୋରେଟ୍ ସଂସ୍ଥାରେ ନିଯୁକ୍ତି କ୍ଷେତ୍ରରେ ଓଡ଼ିଆଙ୍କୁ ପ୍ରାଥମିକତା ଦେବା ପାଇଁ ଦଳ ଦାବି ଉଠାଇବ। ଭୁବନେଶ୍ୱରରେ ଆୟୋଜିତ କଳିଙ୍ଗ ସେନାର ପ୍ରତିଷ୍ଠା ଦିବସ ସମାରୋହରେ ଏଭଳି ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ହେମନ୍ତ ରଥ।
ନିଶା କବଳରୁ ଯୁବପିଢ଼ିଙ୍କୁ ରକ୍ଷା କରିବା ଲକ୍ଷ୍ୟ
ପ୍ରତିଷ୍ଠା ଦିବସ ଅବସରରେ ହେମନ୍ତ ରଥ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥ, ସ୍ୱାଭିମାନ ଓ ଅସ୍ମିତାର ସୁରକ୍ଷା ପାଇଁ କଳିଙ୍ଗ ସେନା ସବୁବେଳେ ସଂଗ୍ରାମ ଜାରି ରଖିଛି। ବର୍ତ୍ତମାନ ରାଜ୍ୟରେ ନିଶା କାରବାର ବଢ଼ିବା ଚିନ୍ତାର ବିଷୟ ପାଲଟିଛି। ଏହାର ସବୁଠାରୁ ଅଧିକ ପ୍ରଭାବ ଯୁବପିଢ଼ିଙ୍କ ଉପରେ ପଡ଼ୁଛି। ନିଶାସକ୍ତି ଯୋଗୁଁ ଅନେକ ପରିବାରରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି ହେଉଛି।
ତେଣୁ ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ କରାଯିବ। ପ୍ରତି ପଞ୍ଚାୟତରେ କଳିଙ୍ଗ ନିଶା ନିବାରଣ କମିଟି ଗଠନ କରି ଏହି ଅଭିଯାନକୁ ତୃଣମୂଳ ସ୍ତରରେ ପହଞ୍ଚାଯିବ ବୋଲି ସେ କହିଛନ୍ତି।
ଆତ୍ମନିଯୁକ୍ତି ପାଇଁ ବ୍ୟାଙ୍କ ଋଣ, ନିଯୁକ୍ତିରେ ଓଡ଼ିଆଙ୍କୁ ଗୁରୁତ୍ୱ
କେବଳ ନିଶା ନିବାରଣ ନୁହେଁ, ରାଜ୍ୟର ଯୁବପିଢ଼ିଙ୍କ ରୋଜଗାରକୁ ମଧ୍ୟ ଦଳ ଗୁରୁତ୍ୱ ଦେବ। ଆତ୍ମନିଯୁକ୍ତି ଯୋଜନା ଜରିଆରେ ଆଗ୍ରହୀ ଯୁବକଯୁବତୀଙ୍କୁ ବ୍ୟାଙ୍କ ଋଣ ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯିବ। ଏହାଦ୍ୱାରା ସେମାନେ ନିଜସ୍ୱ ବ୍ୟବସାୟ ଓ ରୋଜଗାରର ସୁଯୋଗ ସୃଷ୍ଟି କରିପାରିବେ।
ସେହିପରି ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପ ଓ କର୍ପୋରେଟ୍ ସଂସ୍ଥାରେ ନିଯୁକ୍ତି ସମୟରେ ଓଡ଼ିଆ ଯୁବକଯୁବତୀଙ୍କୁ ଅଗ୍ରାଧିକାର ଦେବା ପାଇଁ ଦଳ ଦାବି ଉଠାଇବ ବୋଲି ହେମନ୍ତ ରଥ ସ୍ପଷ୍ଟ କରିଛନ୍ତି।
ପଞ୍ଚାୟତ ନିର୍ବାଚନରେ ମଇଦାନକୁ ଓହ୍ଲାଇବ କଳିଙ୍ଗ ସେନା
ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ମଧ୍ୟ ଦଳ ନିଜର ରଣନୀତି ଘୋଷଣା କରିଛି। ଉଚ୍ଚଶିକ୍ଷିତ ଓ ଯୋଗ୍ୟ ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଦଳ ଯୋଜନା କରିଛି। ଏହାସହ ୨୧ଟି ଜିଲ୍ଲାରେ ସମସ୍ତ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀ ଦେବ ବୋଲି ହେମନ୍ତ ରଥ ଘୋଷଣା କରିଛନ୍ତି।