ପୁରୀ : ପିପିଲି ଟୋଲଗେଟ୍ ନିକଟରୁ ୨୩୦ଟି ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି। ପିପିଲି ପୋଲିସ ଏକ କାର୍ରୁ ଏହି ବିପୁଳ ପରିମାଣର କଇଁଛ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଚାଲାଣକାରୀ ଗିରଫ ହୋଇଛନ୍ତି।
ଏହି କଇଁଛଗୁଡ଼ିକୁ ଏକ ପଶ୍ଚିମବଙ୍ଗ ନମ୍ବର ପ୍ଲେଟ୍ ଥିବା କାର୍ (WB31 AA8531) ଯୋଗେ ପୁରୀରୁ କୋଲକାତା ଚାଲାଣ କରାଯାଉଥିଲା। ଗୁପ୍ତ ସୂଚନା ଆଧାରରେ ପିପିଲି ପୋଲିସ ବିଳମ୍ବିତ ରାତିରେ ପିପିଲି ଟୋଲଗେଟ୍ ନିକଟରେ ନାକାବନ୍ଦୀ କରି ଗାଡ଼ି ଯାଞ୍ଚ କରିଥିଲା ଏବଂ କାର୍ ଭିତରୁ ୮ଟି ବସ୍ତାରେ ରଖାଯାଇଥିବା ୨୩୦ଟି ଜୀବନ୍ତ କଇଁଛ ଉଦ୍ଧାର କରିଥିଲା।
ପୋଲିସ କଇଁଛ ଓ ଜବତ ଗାଡ଼ିକୁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବନ ବିଭାଗକୁ ହସ୍ତାନ୍ତର କରିଛି। ଏହା ସହିତ ଏହି ବନ୍ୟଜନ୍ତୁ ଚୋରା ଚାଲାଣ ରାକେଟ୍ ପଛରେ ଆଉ କେଉଁମାନେ ଜଡ଼ିତ ଅଛନ୍ତି, ସେନେଇ ତଦନ୍ତ ଆରମ୍ଭ ହୋଇଛି ।