ଭଦ୍ରକ: ଆସନ୍ତାକାଲି ମା’ କାଳୀଙ୍କ ପୂଜା । ମା’ଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଭଦ୍ରକ ଜିଲ୍ଲା । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ଏହି ଅବସରରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ । ଏଥର ମା ଭଦ୍ରକାଳୀ ଙ୍କ ପୀଠ ରେ ମହାଯଜ୍ଞ ର ରୌପ୍ୟ ଜୟନ୍ତୀ ପାଳନ ହେବାକୁ ଯାଉଥିବା ବେଳେ ଚରମ୍ପା ଠାରେ ଆୟୋଜିତ ହେବାକୁ ଥିବା କାଳୀପୂଜା ମେଳା ୯ ଦିନ ଧରି ଆୟୋଜିତ ହେବା ସହ କାଳୀପୂଜା ଗୌରବ ସମ୍ମାନରେ ସମ୍ମାନିତ କରାଯିବ ।
କାଳୀଙ୍କ ପୂଜା ପାଇଁ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ପୀଠ ସହ ଭଦ୍ରକ ସହରର ଚରମ୍ପା , ବାଇପାସ୍ , ଧୁଷୁରୀ , ବାସୁଦେବପୁର ଓ ଚାନ୍ଦବାଲିରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଚରମ୍ପାରେ ମଣ୍ଡପ ଗୁଡ଼ିକରେ ସାଜସଜ୍ଜା ସହ ମୃଣ୍ମୟୀ ମୂର୍ତ୍ତି ଗୁଡ଼ିକ ଶେଷ ସ୍ପର୍ଶ ଅପେକ୍ଷାରେ ରହିଛନ୍ତି । ଏଥର ସମସ୍ତ ମଣ୍ଡପ ଗୁଡିକ ସାମାଜିକ ବାର୍ତ୍ତା ପ୍ରଦାନ କରିବା ସହ ଶ୍ରଦ୍ଧାଳୁ ଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଅପେରା ସହ ମୀନାବଜାର ଓ ମେଳା ପାଇଁ ରାଜ୍ୟ ବାହାରୁ ବ୍ୟବସାୟୀ ମାନେ ଆସିବା ଆରମ୍ଭ କରିଛନ୍ତି । ୧୬ ନମ୍ୱର୍ ଜାତୀୟ ରାଜପଥ ରୁ ଭଦ୍ରକ ରେଳ ଷ୍ଟେସନ ଓ ଅନ୍ୟ ସ୍ଥାନ ରେ ଜବରଦଖଲ ଉଚ୍ଛେଦ ହୋଇଥିବାରୁ ଏଥର ଶ୍ରଦ୍ଧାଳୁଙ୍କ ପାଇଁ ମେଳା ଉପଭୋଗ କରିବା ସହ ସୁରୁଖୁରୁ ରେ ମା’ କାଳୀଙ୍କ ଦର୍ଶନ କରି ପାରିବେ ।
ଏଥର ଭଦ୍ରକ ର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଙ୍କ ପୀଠ ରେ ଆୟୋଜିତ ହେଉଥିବା ମହାଯଜ୍ଞ ର ରୌପ୍ୟ ଜୟନ୍ତୀ ମହୋତ୍ସବ ପାଳିତ ହେବ । ଦୀପାବଳି ଠାରୁ ୭ ଦିନ ଧରି ମା ଭଦ୍ରକାଳୀ ସପ୍ତମାତୃକା ବେଶ ରେ ଦର୍ଶନ ଦେବେ । ଦେଶ ର ବିଭିନ୍ନ ଧର୍ମ ପୀଠ ରୁ ଆସିଥିବା ସନ୍ଥଙ୍କ ଦ୍ଵାରା ଦିବ୍ୟ ଆଳତି ଆୟୋଜିତ ହେବ ।
ଭଦ୍ରକର ଐତିହାସିକ କାଳୀପୂଜା ପାଇଁ ଶାନ୍ତିଶୃଙ୍ଖଳା, ସ୍ୱଚ୍ଛତା ଓ ଭବ୍ୟ ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଛି । ରାସ୍ତା ପ୍ରଶସ୍ତିକରଣ, ସ୍ୱଚ୍ଛତା ଓ ଜନସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି । ପୂଜାସ୍ଥଳୀ ଅଞ୍ଚଳରେ ରାସ୍ତା ପ୍ରଶସ୍ତିକରଣ, ମେଢ଼ ଅଞ୍ଚଳରୁ ପ୍ରତିଦିନ ଆବର୍ଜନା ସଂଗ୍ରହ ଓ ଅପସାରଣ, ନାଳଗୁଡ଼ିକର ସଫେଇ ସହିତ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ଭଦ୍ରକ କାଳୀପୂଜା ଗୌରବ ସମ୍ମାନ ପାଇଁ ବିଚାରକମଣ୍ଡଳୀଙ୍କ ଦ୍ୱାରା ପୂଜା ମଣ୍ଡପଗୁଡ଼ିକର ସ୍ଥଳ ପରିଦର୍ଶନ କରାଯାଇ ୧୦୦ ନମ୍ବର ମାନଦଣ୍ଡ ଆଧାରରେ ମୂଲ୍ୟାୟନ କରାଯିବ । ଚୂଡ଼ାନ୍ତ ଫଳାଫଳ ଘୋଷଣା ପରେ ବିଜେତା ତିନିଟି ପୂଜା ମଣ୍ଡପକୁ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।