ବଲାଙ୍ଗିର : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ
ବଲାଙ୍ଗିର ସରକାରୀ ଆଇଟିଆଇ କଲେଜ ପ୍ରିନ୍ସିପାଲ ସୁରେଶ କୁମାର ଦଳବେହେରା। ତିରିଶ ହଜାର ଟଙ୍କା ନେଉଥିବା ବେଳେ ରଙ୍ଗେହାତ ଧରାପଡିଛନ୍ତି ।
ସୂଚନା ଅନୁଯାୟୀ କଲେଜର ଗେଷ୍ଟ ଇନଷ୍ଟ୍ରକ୍ଟର ମାନଙ୍କର ଚାକିରି ବଜାୟ ରଖିବା ଏବଂ ନିୟମିତ ଦରମା କରାଇଦେବା ପାଇଁ ସେ ଲାଞ୍ଚ ଦାବି କରିଥିଲେ। କଲେଜର ୯ ଜଣ ଗେଷ୍ଟ ଇନଷ୍ଟ୍ରକ୍ଟରଙ୍କଠାରୁ ମୋଟ ୧,୧୫,୦୦୦ ଟଙ୍କା ଦାବି କରିଥିଲେ ଏବଂ ଟଙ୍କା ନଦେଲେ ଚାକିରିରୁ ବାହାର କରିଦେବାକୁ ଧମକ ଦେଇଥିଲେ।
ଅଭିଯୋଗକାରୀଙ୍କଠାରୁ ପ୍ରଥମ କିସ୍ତି ବାବଦକୁ ୩୦,୦୦୦ ଟଙ୍କା ନେଉଥିବା ବେଳେ ବଲାଙ୍ଗିର ରେଳଷ୍ଟେସନଠାରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା।
ତାଙ୍କଠାରୁ ଭିଜିଲାନ୍ସ ଟିମ୍ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ ସହ ଜଡ଼ିତ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଚଢ଼ାଉ ଜାରି ରଖିଛି। ଏହି ମାମଲାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।