ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନକୁ ଆହୁରି ସୁବ୍ୟବସ୍ଥିତ କରିବା ପାଇଁ ଶ୍ରୀମନ୍ଦିରରେ ଖୁବଶୀଘ୍ର ଲାଗୁ ହେବ ନୂଆ ଧାଡ଼ି ଦର୍ଶନ (Queue-Based Darshan) ବ୍ୟବସ୍ଥା। ନୂଆବର୍ଷ ପୂର୍ବରୁ ଏହି ବ୍ୟବସ୍ଥା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ପବିତ୍ର କାର୍ତ୍ତିକ ମାସ ପରେ ଏବଂ ନୂଆବର୍ଷ ପୂର୍ବରୁ ଏହି ନୂଆ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ରହିଛି। ଏନେଇ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
୮ଟି ରାମ୍ପରେ ହେବ ଦର୍ଶନ ବ୍ୟବସ୍ଥା
ପ୍ରସ୍ତାବିତ ଯୋଜନା ଅନୁଯାୟୀ, ଶ୍ରୀମନ୍ଦିରରେ ୮ଟି ରାମ୍ପ ନିର୍ମାଣ କରାଯିବ। ଏହା ମାଧ୍ୟମରେ ଏକାସାଙ୍ଗରେ ଅନେକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏହି ବ୍ୟବସ୍ଥାରେ ପ୍ରତି ଘଣ୍ଟାରେ ପ୍ରାୟ ୧୦ ହଜାର ଭକ୍ତଙ୍କୁ ଦର୍ଶନର ସୁଯୋଗ ମିଳିବ ବୋଲି ଆଶା କରାଯାଉଛି।
ଗରୁଡ଼ ସ୍ତମ୍ଭ ଓ ବାହାର କାଠ ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହି କ୍ୟୁ କମ୍ପ୍ଲେକ୍ସ ନିର୍ମାଣ ହେବ।
କୋଲାପ୍ସିବଲ୍ ବ୍ରିଜ୍ ଭଳି କାମ କରିବ ରାମ୍ପ
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଏହି ରାମ୍ପଗୁଡ଼ିକ କୋଲାପ୍ସିବଲ୍ ବ୍ରିଜ୍ ଭଳି କାର୍ଯ୍ୟ କରିବ। ଦର୍ଶନ ସମୟରେ ରାମ୍ପଗୁଡ଼ିକ ଖୋଲା ରହିବ ଏବଂ ନୀତିକାନ୍ତି ଶେଷ ହେବା ପରେ ବନ୍ଦ କରାଯିବ। ଏହି ନୂଆ ବ୍ୟବସ୍ଥା ପାଇଁ IIT ଭୁବନେଶ୍ୱରର ବୈଷୟିକ ସହଯୋଗ ନିଆଯାଇଛି।
ଅନୁମୋଦନ ପରେ ହେବ କାର୍ଯ୍ୟକାରୀ
ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଖୁବଶୀଘ୍ର ଛତିଶା ନିଯୋଗ ଓ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିରେ ଆଲୋଚନା ହେବ। ଉଭୟ ପକ୍ଷର ଅନୁମୋଦନ ମିଳିବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏହି ବ୍ୟବସ୍ଥା ଲାଗୁ ହେଲେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ସହ ଦର୍ଶନ ପ୍ରକ୍ରିୟା ଅଧିକ ସୁବ୍ୟବସ୍ଥିତ ହେବ ବୋଲି ଆଶା କରାଯାଉଛି।